କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ଭାରତୀୟ ସଂସ୍କୃତି ର ଗବେଷକ, ବିଶିଷ୍ଟ କବି, ଲେଖକ ଓ ସାରସ୍ଵତ ସାଧକ କଥା କୌସ୍ତୁଭ କୁମାର କବି ଅରକ୍ଷିତ ପ୍ରଧାନ ଙ୍କ ତ୍ରୟୋଦଶ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୁମାର କବି ଫାଉଣ୍ଡେସନ ର ମିଳିତ ଆୟୋଜନ କ୍ରମେ ପୁରୀସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସମାରୋହକୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଉଦଘାଟନ କରି କହିଥିଲେ ଯେ କୁମାର କବି ଥିଲେ ମହାନ ଭାରତୀୟ ସଂସ୍କୃତିର ଗବେଷକ, ଉତ୍କଳୀୟ ସଂସ୍କୃତିର ପ୍ରଚାରକ ଓ ଆସାମ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସଂଯୋଜକ।ଏଇ ମହାନ କବିଙ୍କର ୧୮ ଖଣ୍ଡ କାଳଜୟୀ ପୁସ୍ତକ ଓଡ଼ିଶା ସାହିତ୍ୟ ଜଗତକୁ ଅମୂଲ୍ୟ ଅବଦାନ। କୁମାର କବିଙ୍କ ଜୀବନୀ ପୁସ୍ତକ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶନ ପାଇଁ ସେ ସଭାରେ ପ୍ରସ୍ତାବ ରଖିଥିଲେ। ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ କୁମାର କବି ଥିଲେ ଭାଷା,ଭାବ, ସଂସ୍କୃତି ଓ ସଂସ୍କୃତର ମହାକବି। ତାଙ୍କ କାଳଜୟୀ ଗ୍ରନ୍ଥ ସମୁହ ମା,ମାଟି, ମଣିଷ ଓ ପ୍ରକୃତିର ଜୟଗାନ କରିଥାଏ। ତାଙ୍କ ସମଗ୍ର ରଚନାବଳୀକୁ କୁମାର କବି ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ନିମନ୍ତେ ସାହିତ୍ୟ ଏକାଡେମୀ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କୁମାର କବି ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ବିଶିଷ୍ଟ ଚିନ୍ତାନାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ।ସେ କହିଥିଲେ ଯେ କୁମାର କବି ଥିଲେ ସ୍ୱପ୍ନ, ସଂକଳ୍ପ, ସାଧନା ଓ ସଙ୍ଘର୍ଷ ର ମହାସିଦ୍ଧି । ଆନୁଷ୍ଠାନିକ ଶିକ୍ଷା ନଥାଇ ଜଣେ ଯେ ନିରୁତା ଗବେଷକ,ସଫଳ ଲେଖକ ଓ ମହାକବି ହୋଇପାରେ ତାହାହିଁ ଆଜିର ସାହିତ୍ୟିକ ମାନଙ୍କ ଆଗରେ କୁମାର କବି ହେଉଛନ୍ତି ପ୍ରେରଣାର କିମ୍ବଦନ୍ତୀ । କୁମାର କବିଙ୍କ ସାମଗ୍ରିକ ଜୀବନର ଆଦର୍ଶ ଥିଲା ମା,ମାଟି ,ମଣିଷ, ପ୍ରକୃତି ଓ ସଂସ୍କୃତି କୁ ନିବିଡ଼ ଭାବରେ ଭଲପାଇବା। ସେ ଥିଲେ ଅନନ୍ୟ ଓ ବିଚକ୍ଷଣ ବାଗ୍ମୀ,ଧୂରୀଣ ସଗଠକ ଓ ସମର୍ପିତ ସମାଜସେବୀ।କୁମାର କବିଙ୍କୁ ତାଙ୍କ ଅନନ୍ୟ ସାହିତ୍ୟ କୃତି ଓ ସମର୍ପିତ ସାମାଜିକ ତଥା ସାଂସ୍କୃତିକ ଜୀବନାଦର୍ଶ ନିମନ୍ତେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯିବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ ସଭାରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ କୁମାର କବିଙ୍କୁ କାଳଜୟୀ ସାହିତ୍ୟର ସ୍ରଷ୍ଟା ଓ ସଂସ୍କୃତି କବି ଭାବରେ ସମ୍ବୋଧନ କରି କହିଥିଲେ ଯେ ଦାରିଦ୍ର୍ୟ ଆଗରେ ସ୍ୱାଭିମାନ କେବେ ହାର ମାନେ ନାହିଁ,ଶିକ୍ଷାର ଅଭାବ ପ୍ରତିଭାକୁ ମାରିପାରେ ନାହିଁ ବୋଲି କୁମାର କବି ନିଜ ଜୀବନରେ ପ୍ରମାଣିତ କରି ଯାଇଛନ୍ତି। ବିଶିଷ୍ଟ ସମାଜସେବୀ ବାବା ବିଭୁତି ଦାସ ମହାରାଜ କହିଥିଲେ ଯେ କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଅନେକ ରେ ଏକ,କୋଟିଏରେ ଗୋଟିଏ।ଆସାମ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସେ ଥିଲେ ସାଂସ୍କୃତିକ ଦୂତ। ତେଣୁ ଆସାମ ସରକାର ତାଙ୍କୁ ଆଜୀବନ ରାଜ୍ୟ ଅତିଥିର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଏହି ସେବା ପାଇବାରେ ସେ ଥିଲେ ଏକମାତ୍ର ଓଡ଼ିଆ। ମଞ୍ଚରେ ଉପସ୍ଥିତ ସମ୍ମାନିତ ଅତିଥି ବିଶ୍ଶମୁକ୍ତି ସମ୍ପାଦକ ଅଧ୍ୟାପକ ଶଶାଙ୍କ ଚୂଡ଼ାମଣି କୁମାର କବିଙ୍କ ସାଧନା ପୀଠର ପୁନରୁଦ୍ଧାର କରିବା ଏବଂ ତାଙ୍କ ନାମରେ ଭୁବନେଶ୍ଵର ର ଏକ ପ୍ରମୁଖ ରାସ୍ତା ନାମକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବସନ୍ତ ପ୍ରମୋଦ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ କୁମାର କବି ଫାଉଣ୍ଡେସନ ର ପ୍ରତିଷ୍ଠାତା ସମ୍ପାଦକ ଅଧିବକ୍ତା ଦିଗମ୍ବର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସମାରୋହର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ କୁମାର କବି ସମ୍ମାନ ଚଳିତ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଓ ନାଟ୍ୟକାର ସାହିତ୍ୟିକ ପ୍ରଫେସର ଡକ୍ଟର ହରିହର ମିଶ୍ରଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ସେହିପରି ସାମ୍ବାଦିକତା କ୍ଷେତ୍ରରେ ଗୁରୁକଲ୍ୟାଣ ମହାପାତ୍ରଙ୍କୁ ଉତ୍କଳ ସମ୍ବାଦ ରତ୍ନ ସମ୍ମାନ, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସଙ୍କୁ ଉତ୍କଳ ସଂଗୀତ ରତ୍ନ,ଯୁବ ବୈଜ୍ଞାନିକ ଡକ୍ଟର ଚିତ୍ତରଞ୍ଜନ ସାହୁଙ୍କୁ ଉତ୍କଳ ଯୁବ ରତ୍ନ, ମନୋଜ କୁମାର ରଥଙ୍କୁ ଉତ୍କଳ ସଂସ୍କୃତି ରତ୍ନ, ଦାମୋଦର ମହାନ୍ତିଙ୍କୁ ଉତ୍କଳ ସାହିତ୍ୟ ସଂଗଠନ ରତ୍ନ,ପାଲା କ୍ଷେତ୍ରରେ ସୁଦର୍ଶନ ମହାପାତ୍ର ଙ୍କୁ ଗାୟକ ଶିରୋମଣି ଓ ଚକ୍ରଧର ବାରିକଙ୍କୁ ଗାୟକ ସୌରଭ,ଲିମକା ବୁକ୍ ରେକର୍ଡ ଅଧିକାରୀ ବୟନଶିଳ୍ଫୀ ଘନଶ୍ୟାମ ମେହେର ଙ୍କୁ ବୟନ କଳାରତ୍ନ,ଅଜୟ କାନୁନଗୋ ଙ୍କୁ ବାଣିଜ୍ୟ ରତ୍ନ, ବାମଦେବ ସେଠଙ୍କୁ ଦଣ୍ଡକଳା ରତ୍ନ , ଆର୍ତ୍ତତ୍ରାଣ ସାହୁ ଙ୍କୁ କବି ସୌରଭ, ସ୍ୱରାଜ ମାନସିଂହ ଙ୍କୁ ଯୁବ ସୌରଭ ଆଦି ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସମିଜସେବା ରେ ଉତ୍କର୍ଷ ନିମନ୍ତେ ଆଞ୍ଚଳିକ ସେବା ସଂଘ କୁ ଉତ୍କଳ ସେବା ରତ୍ନ ଓ ପାଇକ ଆଖଡ଼ା ପାଇଁ ମା ବସନ୍ତାଇ ପାଇକ ଆଖଡ଼ା ସଂଘ କୁ ଉଡ୍ରଦେଶ ସମରକଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ର ଉପସଭାପତି ତରୁଣ କବି ଦାମୋଦର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ କୁମାର କବିଙ୍କ ପୁତ ଆଲୋକ କୁମାର ପ୍ରଧାନ ସଂଯୋଜନା କରିଥିଲେ। ଫାଉଣ୍ଡେସନର କୋଷାଧ୍ୟକ୍ଷ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ଜେନା, ସମାଜସେବୀ ପ୍ରଜ୍ଞା ପରିମିତା ପଟ୍ଟନାୟକ,ସମୀର କୁମାର ପ୍ରଧାନ,ବିଜୟ କୁମାର ଜେନା,ତତ୍ତ୍ୱକବି ବିଭୁଦାସ, ଭିକାରୀ ଜେନା, ସୁଶାନ୍ତ କୁମାର ଜେନା,କବି ସତ୍ୟପ୍ରିୟ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ଉତ୍ତମ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଯୁଗଜ୍ୟୋତି ସାହିତ୍ୟ ସଂସଦ, ମାଣିକ ପାଟଣା ସାଂସ୍କୃତିକ ପରିଷଦ ଏବଂ ଆଞ୍ଚଳିକ ସେବା ସଂଘ ଅନୁଷ୍ଠାନ ମାନେ ଏଥିରେ ସହଯୋଗ କରିଥିଲେ।
Related Stories
November 22, 2024