
ନୂଆଦିଲ୍ଲୀ, ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏହି ଅବସରରେ ଭୋକାଲ ଫର ଲୋକାଲର ମନ୍ତ୍ରଟିକୁ ମନେ ରଖି ନୂଆ ଜିନିଷ କିଣନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନ କି ବାତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆମ ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଗଲାଣି । ଆପଣ ସମସ୍ତଙ୍କ ଘରେ କିଛି ଗୋଟିଏ ନୂଆ କିଣିବାର ଯୋଜନା ହେଉଥିବ । କେହି କେହି ନବରାତ୍ର ସମୟରେ ନିଜର ଶୁଭକାମ ଆରମ୍ଭ କରିବାକୁ ଅପେକ୍ଷା କରିଥିବେ । ଆନନ୍ଦ ଓ ଉତ୍ସାହର ଏହି ବାତାବରଣ ମଧ୍ୟରେ ଆପଣମାନେ ଭୋକାଲ ଫର ଲୋକାଲର ମନ୍ତ୍ରଟିକୁ ମଧ୍ୟ ମନେରଖିବେ ନିଶ୍ଚୟ । ଯେତେଦୂର ସମ୍ଭବ ଆପଣ ଭାରତରେ ତିଆରି ଜିନିଷଗୁଡ଼ିକ କିଣନ୍ତୁ, ଭାରତୀୟ ଉତ୍ପାଦଗୁଡ଼ିକୁ ବ୍ୟବହାର କରନ୍ତୁ ଏବଂ ମେଡ ଇନ ଇଂଡିଆ ପଦାର୍ଥଗୁଡ଼ିକ ହିଁ ଉପହାର ଦିଅନ୍ତୁ । ଆପଣଙ୍କର ଏହି ଛୋଟିଆ ଖୁସିଟି, ଅନ୍ୟ ଏକ ପରିବାର ପାଇଁ ଗୋଟିଏ ବଡ଼ ଖୁସିର କାରଣ ହୋଇପାରିବ । ଆପଣ ଯେଉଁ ଭାରତୀୟ ଜିନିଷଟି କିଣିବେ ତା’ର ଲାଭ ସିଧା ଆମର ଶ୍ରମିକ, କାରିଗର, ଶିଳ୍ପୀ ଏବଂ ଅନ୍ୟ ବିଶ୍ୱକର୍ମା ଭାଇଭଉଣୀମାନଙ୍କୁ ମିଳିବ । ଆଜିକାଲି ତ ଅନେକ ଷ୍ଟାର୍ଟ ଅପ ଦ୍ୱାରା ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ଆପଣ ଯଦି ସ୍ଥାନୀୟ ଜିନିଷ କିଣିବେ ତେବେ ଷ୍ଟାର୍ଟ ଅପ ର ଏହି ଯୁବକମାନଙ୍କର ଲାଭ ହେବ ।
ସେ କହିଛନ୍ତି, ଆସନ୍ତା ଥର ‘ମନ୍ କି ବାତ୍’ରେ ଆପଣମାନଙ୍କୁ ଭେଟିଲା ବେଳକୁ ନବରାତ୍ରି ଓ ଦଶହରା ବିତିଯାଇଥିବ । ଉତ୍ସବର ଏହି ଋତୁରେ ଆପଣମାନେ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହର ସହିତ ସମସ୍ତ ପର୍ବ ପାଳନ କରନ୍ତୁ, ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହୁ – ଏହାହିଁ ମୋର କାମନା । ଏହି ପର୍ବଗୁଡ଼ିକ ପାଇଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ନୂଆ ବିଷୟ ସହିତ, ଦେଶବାସୀଙ୍କର ନୂତନ ସଫଳତାଗୁଡ଼ିକ ସହିତ ଆପଣଙ୍କ ସାଥିରେ ପୁଣି ସାକ୍ଷାତ ହେବ । ଆପଣଙ୍କ ସନ୍ଦେଶ ମୋତେ ନିଶ୍ଚୟ ପଠାଇବେ, ଆପଣଙ୍କର ଅନୁଭୂତି ମଧ୍ୟ ଜଣେଇବାକୁ ଭୁଲିବେନି । ମୁଁ ଅପେକ୍ଷା କରିବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।