![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷରେ ଆଜି ସୁଦ୍ଧା ଜିଲ୍ଲାରୁ ୮୮ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେଣି । ଯେଉଁ ଅଂଚଳରେ ରୋଗୀ ଚିହ୍ନଟ ହେଉଛନ୍ତି ସ୍ଵାସ୍ଥ୍ୟ ବିଭାଗର ଟିମ୍ ସେଠାକୁ ଯାଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ସେହିପରି ଡ଼େଙ୍ଗୁ ମଶାର ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହାକୁ ନଷ୍ଟ କରାଯାଉଛି । ବ୍ରହ୍ମପୁର ସହର ସମେତ ଜିଲ୍ଲାରେ ଗତ କିଛିଦିନ ହେଲା ବର୍ଷା ଲାଗି ରହୁଥିବାରୁ ଏବେ ପୁଣି ଥରେ ସମସ୍ତଙ୍କୁ ଡ଼େଙ୍ଗୁ ଚିନ୍ତା ଘାରିଛି ।
ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ହୋଇଥିବା ୮୮ ଜଣଙ୍କ ମଧ୍ୟରୁ ୫୫ ଜଣ ବାହାର ରାଜ୍ୟ ଓ ଜିଲ୍ଲାରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ଭୁବନେଶ୍ଵର ଓ କଟକରୁ ଆସିଥିବା ନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ବାହାର ଅଂଚଳରୁ ଡ଼େଙ୍ଗୁରେ ସଂକ୍ରମିତ ହୋଇ ଆସୁଥିବା ରୋଗୀ ଏବେ ଗଞ୍ଜାମ ଜିଲ୍ଲା ପାଇଁ ଚିନ୍ତାର କାରଣ ହୋଇଛନ୍ତି । ପ୍ରାୟ ୬୦ ପ୍ରତିଶତ ରୋଗୀ ବାହାରୁ ଆସିଛନ୍ତି । ଡ଼େଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନା କାଜୁଆଲିଟିରେ ସ୍ଵତନ୍ତ୍ର ୱାର୍ଡ଼ ର ବ୍ୟବସ୍ଥା କରାଯାଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ଡ଼େଙ୍ଗୁ ସନ୍ଦେହରେ ୨୮୪୨ ନମୂନା ପରୀକ୍ଷା କରାଯାଇ ସାରିଲାଣି ।
ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ୧୬୧ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୨୧ରେ ଜିଲ୍ଲାରୁ ମୋଟ୍ ୩୩୩ ଜଣ, ୨୦୧୯ରେ ୩୦୭ ଜଣ ଏବଂ ୨୦୧୮ରେ ୧୫୫ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ।