
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଓଡିଶା ପାଇଁ ରେଳ ଅନୁଦାନରେ କୌଣସି ପ୍ରକାର ଅଭାବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ୧୦୦୦ କୋଟି ବି ରେଳ ବିଭାଗର ଅନୁଦାନ ଓଡ଼ିଶାକୁ ମିଳୁ ନଥିଲା । ରେଳ କହିଲେ କେବଳ ଖୋର୍ଦ୍ଧାକୁ ବୁଝାଉଥିଲା । ଗତ ମେ ମାସରେ ପୁରୀରୁ ହାୱଡା ବନ୍ଦେ ଭାରତ ଟ୍ରେନ ଚାଲିଥିଲା । ସେହିଦିନ ହିଁ ରେଳ ମନ୍ତ୍ରୀ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଖୁବଶୀଘ୍ର ଓଡ଼ିଶାରେ ଚାଲିବ ବୋଲି ଘୋଷଣା କରିଥିଲେ । ଆଉ ଆଜି ଟ୍ରେନ ପୁରୀରୁ ରାଉରକେଲା ଟ୍ରେନ ଚାଲିଲା ।
ତୃତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାୟପୁର ପର୍ଯ୍ୟନ୍ତ ଚାଲିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଓଡ଼ିଶାକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ସେ ଅନୁରୋଧ କରିଛନ୍ତି ।
ଭୁବନେଶ୍ୱର ଷ୍ଟେସନରେ ୪୨୦ କୋଟି ଖର୍ଚ୍ଚ ହୋଇ ନବୀକରଣ ହେଉଛି । ପୁରୀ, ରାଉରକେଲା, କଟକ, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର ଆଦି ସହରରେ ରେଳ ଷ୍ଟେସନ ନବୀକରଣ ହେଉଛି । ଓଡ଼ିଶାର ୫୭ଟି ଷ୍ଟେସନରେ ଏଥିପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ସେ କହିଛନ୍ତି ।