
ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ବନ୍ଧଡିହ ଗ୍ରାମରୁ ୨୦୧୬ ମସିହାରେ ଜଣେ ନାବାଳିକାକୁ ସ୍ଥାନୀୟ ଅଂଚଳର ଜଣେ ଯୁବକ ଅପହରଣ କରି କେଉଁ ଆଡେ ନେଇ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମବରଦା ପୁଲିସ ଅଭିଯୁକ୍ତ ବନ୍ଧଡିହ ଗ୍ରାମର ବସନ୍ତ ବେହେରାଙ୍କ ପୁଅ ସତ୍ୟ ରଂଜନ (୨୨)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ୨୦୧୬ ମସିହାରେ ବନ୍ଧଡିହ ଗ୍ରାମର ଦିପ୍ତୀମୟୀ ବେହେରାଙ୍କ ନାବାଳିକା ଝିଅକୁ କେହି ଅପହରଣ କରି ନେଇଯାଇଥିବା ନେଇ ଦିପ୍ତୀମୟୀ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ୨୯ା୨୦୧୬ରେ ଏକ ମାମଲା ରୁଜୁ କରିଥିଲା । ଘର ଲୋକେ ଓ ପୁଲିସ ନାବାଳିକାକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କେହି ତାଙ୍କର ସନ୍ଧାନ ପାଇ ନ ଥିଲେ । ପରେ ଏହି ଗ୍ରାମର ବସନ୍ତଙ୍କ ପୁଅ ସତ୍ୟରଂଜନ ଦୀର୍ଘ ଦିନ ଧରି ଗାଁରେ ଅନୁପସ୍ଥିତ ରହିବା ନେଇ ପୁଲିସର ତାଙ୍କ ପ୍ରତି ସନ୍ଦେହ ହୋଇଥିଲା । ଗତକାଲି ରାତିରେ ବ୍ରହ୍ମବରଦା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ୍ଧଡିହସ୍ଥ ବସନ୍ତଙ୍କ ଘର ଉପରେ ଚଢ଼ଉ କରି ସତ୍ୟରଂଜନଙ୍କୁ ଗିରଫ କରିଥିଲା । ଆଜି ସତ୍ୟରଂଜନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି । ଫାଣ୍ଡି ଅଧିକାରୀଙ୍କ ସହ କନେଷ୍ଟବଳ ବୃନ୍ଦାବନ ବେହେରା ଓ ଫାଣ୍ଡି କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ ।