ଧର୍ମଶାଳା – ଆସନ୍ତା କାଲିଠାରୁ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଅଭିମନ୍ୟୁ ସାମନ୍ତସିଂହାର ଭବନ ପରିସରରେ ଆରମ୍ଭ ହେବାକୁ ଯାଉଛି ଜିଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଜିଲାରେ କଳିଙ୍ଗନଗର ଓ ଜଗତପୁର ଆଂଚଳିକ ଶିଳ୍ପ କେନ୍ଦ୍ର ଏହାର ଆୟୋଜନ କରିଛି । ଏଥିରେ ଜିଲା ଓ ଜିଲା ବାହାରର ହସ୍ତଶିଳ୍ପ କାରିଗର ସେମାନଙ୍କର ସ୍ୱହସ୍ତ ତିଆରି ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରିବାର ସୁଯୋଗ ପାଇବେ । ଏନେଇ ୯୦ ଗୋଟି ଷ୍ଟଲରେ ସାମଗ୍ରୀ ପ୍ରଦର୍ଶିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏଥିରେ ମୁଖ୍ୟତଃ ପଟଚିତ୍ର, ପଥର ଖୋଦେଇ, କାଷ୍ଠ ଖୋଦେଇ, କାଇଁଚ କାମ, ବାଉଁଶ କାମ, ଝୋଟ କାମ ଆଦି ହସ୍ତଶିଳ୍ପ ଜିନିଷ ସ୍ଥାନ ପାଇବ । ୭ ଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ପ୍ରାୟ ୨ ଶହ ଜଣ ହସ୍ତଶିଳ୍ପ କାରିଗର ଭାଗ ନେବେ । ପ୍ରତ୍ୟେହ ସନ୍ଧ୍ୟାରେ ପାରମ୍ପରିକ ଓଡିଶୀ ନୃତ୍ୟ, ବଂଶୀ ବାଦନ ସାଙ୍ଗକୁ ଜିଲାର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।