ବଲାଙ୍ଗିର, ଟିଟିଲାଗଡ଼ ସହରର ମୁଖ୍ୟ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ରହିଛି ପ୍ରଭୂ ଧବଳେଶ୍ଵର ମନ୍ଦିର । ଏହି ମନ୍ଦିରର ଉନ୍ନତିକରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସଦାବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉନ୍ନତିକରଣ ପାଇଁ ଦାବୀ କରି ଆସୁଥିଲେ । ଏହାକୁ ହୃଦୟଙ୍ଗମ କରି କୁମୁଡ଼ା ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି, ଯାହାକି ଆଗାମୀ ଦିନରେ ଆସୁଥିବା ଗଣପର୍ବ ନୂଆଖାଇ ପାଇଁ ଭେଟି ବୋଲି କୁହାଯାଉଛି । ବିକଶିତ ଟିଟିଲାଗଡ଼ର ବିନ୍ଧାଣୀ ସାଜିଥିବା ଟିଟିଲାଗଡ଼ର ବିଧାୟିକା ଶ୍ରୀମତୀ ସାହୁଙ୍କୁ ଏନେଇ ଟିଟିଲାଗଡ଼ ବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଏହା ପୂର୍ବରୁ ଟିଟିଲାଗଡ଼ର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ, ଭୂତଳ ପୋଲ, ମହାରାଜ ସାଗରରେ ନିର୍ମିତ ନୂତନ ପାର୍କ ଭଳି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇ ଉଦ୍ଘାଟନ ହୋଇଛି । ନିଜ ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସଫଳତାରେ ଆଉ ଏକ ପାହାଚ ଯୋଡ଼ି ହୋଇଯାଇଛି । ଗୋଟିଏ ପଟେ ବିରୋଧୀ ଖାଲି ଚା’ ଖଟିରେ ବସି କେବଳ ଏହି ଉନ୍ନୟନ କାମର ସମୀକ୍ଷା ବୈଠକ କରିବା ସାର ହେଉଥିବା ବେଳେ ବିରୋଧୀଙ୍କୁ କଥାରେ ନୁହେଁ କାମରେ କରି ଦେଖାଉଛନ୍ତି ମନ୍ତ୍ରୀ ବୋଲି ଅଂଚଳରେ ଆଲୋଚନା ହେଉଛି । ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କୁ ପ୍ରସଙ୍ଗ ମିଳିବା କଷ୍ଟକର ହେଲାଣି ବୋଲି ଲୋକେ ଆଲୋଚନା କରୁଛନ୍ତି ।