
ଗଞ୍ଜାମ, ରାଜ୍ୟ ସରକାରଙ୍କ ଫାଇଭ୍-ଟି ଅଧିନରେ ମୋ ହସ୍ପିଟାଲ ରୂପାନ୍ତରିକରଣ ଅଭିଯାନରେ ଗଞ୍ଜାମ ଜିଲ୍ଲାର ୧୩ଟି ହସ୍ପିଟାଲ ସ୍ଥାନ ପାଇଛି । ଏହି ୧୩ଟି ହସ୍ପିଟାଲ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ରହିଛି । ୮ କୋଟି ଟଙ୍କା ବିନିମୟରେ ଛତ୍ରପୁର ଡାକ୍ତରଖାନାର ରୂପାନ୍ତରିକରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କାମ ଚାଲୁ ରହିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପହଂଚି ମୋ ହସ୍ପିଟାଲ ଅଭିଯାନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରିଛନ୍ତି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସେ ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ୍ ପଟେଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କାମରେ କିଛି ତୃଟୀ ରହିଛି ତାହାର ତୁରନ୍ତ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଇଏମସି ଡେପୁଟୀ କମିଶନର ସମ୍ବିତ କୁମାର ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ମ୍ୟାନେଜର ଗଣେଷ ନାହାକ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଓ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।