ମାଲକାନଗିରି,ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ ର ଓରିଙ୍ଗି ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ପଢୁଥିବା ପିଲାମାନଙ୍କର ଅଭିଭାବକ ମାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ ଶିକ୍ଷା ଅଧିକାରୀ ହୃଷିକେଶ ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାସବେଡା ସରପଞ୍ଚ ପ୍ରମିଳା ଗୁଟ୍ଟା,ନାଏବ ସରପଞ୍ଚ ଇଶ୍ୱର ମୁଦୁଲି ଓ ସମାଜସେବୀ ବାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ମଞ୍ଚାସିନ ଅତିଥି ମାନେ ଜଗତର ନାଥ ଜଗନ୍ନାଥ ତୈଳ ଚିତ୍ର ରେ ପୁଷ୍ପ ଅର୍ପଣ ପୁର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ ଅଭିବାଦନ ଜଣାଇଥିଲେ, ଏଥିରେ ଓରିଙ୍ଗି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଟ୍ଟନାୟକ ସଭାପତିତ୍ବ କରି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦଣ୍ଡସେନା, ଆଜିର ମୁଖ୍ୟ ଥିମ୍ ପ୍ୟାରେଣ୍ଟ ଏଜ ପାର୍ଟନର ବିଷୟରେ କହିଛନ୍ତି ଯେ ପିଲାମାନଙ୍କର ଉନ୍ନତି ରେ ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ବ ରହିଛି ଏଣୁ ଅଭିଭାବକ ମାନେ ଯେ କେବଳ ପିଲା ମାନଙ୍କର ଖାଲି ବାପା ମା ବୋଲି ଭାବିବା ଉଚିତ ନୁହଁ! ସେମାନେ ଜଣେ ଜଣେ ସହଭାଗୀ ମଧ୍ୟ । ମୁଖ୍ୟ ଅତିଥି ଅଭିଭାବଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଆଦର୍ଶ ଉଦାହରଣ ମାନ ଦେଇ ଆଜିର ଟ୍ୟାଗ ଲାଇନ୍ ଆମେ ଜାଣିବା ଆମେ ଜିଣିବାଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି କର୍ମଶାଳାରେ କୁଡୁମୁଲୁଗୁମ୍ମା ବନରକ୍ଷୀ ଓ ବୈଠକରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ମାନେ ଯୋଗ ଦେଇଥିଲେ । ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କରିବା ପାଇଁ ସହଯୋଗ କରିଥିଲେ ।