ମାଲକାନଗିରି,୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ପକ୍ଷରୁ ପ୍ରତି ପଞ୍ଚାୟତକୁ ଖେଳ ଉପକରଣ ବଣ୍ଟନ ହୋଇଥିଲା। ପଞ୍ଚାୟତ ସ୍ତରରେ ଥିବା ବିଜୁ ଯୁବ ବାହିନୀକୁ ଏଥିପାଇଁ ୫୦ ହଜାର ଟଙ୍କାର ବିଭିନ୍ନ ପ୍ରକାର ଖେଳ ଉପକରଣ ସେତେବେଳେ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଅଧୀନରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟେଣ୍ଡର୍ ହୋଇ କ୍ରୀଡ଼ା ସାମଗ୍ରୀ କିଣାଯାଇ ତାହାକୁ ବଣ୍ଟନ କରାଯାଇଥିଲା। ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଭାକୁ ସ୍ବୀକୃତି ଦେବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହା ସେତେବେଳେ ଆରମ୍ଭ ହୋଇଥିଲା। ତେବେ ଏହା ଭିତରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ କ୍ରୀଡ଼ା ସାମଗ୍ରୀ କୁଆଡ଼େ ଗଲା, କାହା ପାଖରେ ରହିଲା ଓ ତାହାକୁ କିଏ ବ୍ୟବହାର କରୁଛି ତାର ଖବର କାହାରି ପାଖରେ ନାହିଁ। ଯାହାକୁ ନେଇ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି।
୨୦୧୯ ରେ ପ୍ରତି ପଞ୍ଚାୟତକୁ ଆସିଥିଲା ବିଜୁ କ୍ରୀଡ଼ା ଉପକରଣ। ଏକ ବଡ଼ ବାକ୍ସରେ ଲୁହା ଭାରୋତ୍ତଳନ ସହ ଜିମ୍ ଉପକରଣ, ବ୍ୟାଟ୍ ଓ ବଲ ଆଦି କ୍ରିକେଟ୍ ସାମଗ୍ରୀ, ଫୁଟ୍ବଲ୍, ଭଲିବଲ୍, ନେଟ୍, କ୍ୟାରମ୍ ବୋର୍ଡ ଭଳି ୪୦ରୁ ଅଧିକ କ୍ରୀଡ଼ା ଉପକରଣ ବଣ୍ଟନ ହୋଇଥିଲା। ଏଥିପାଇଁ ପଞ୍ଚାୟତସ୍ତରରେ ୫୦ ହଜାର ଟଙ୍କା ଲେଖାଏଁ ବ୍ୟୟ କରାଯାଇଥିଲା। ବ୍ଲକ୍ କର୍ତ୍ତୃପକ୍ଷ ଏହାକୁ ପଞ୍ଚାୟତସ୍ତରର ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଦେଇଥିଲେ ଓ ସେମାନେ ଏହାକୁ ୱାର୍ଡସ୍ତରରେ ବାଣ୍ଟି ଫଟୋ ପଠାଇବାକୁ କୁହାଯାଇଥିଲା। ଜିଲ୍ଲାର ସାତଟି ଯାକ ବ୍ଲକ୍ରେ ଥିବା ୧୦୦ରୁ ଉର୍ଦ୍ଧ ପଞ୍ଚାୟତ ଯୁବ ବାହିନୀ କର୍ମକର୍ତ୍ତାମାନଙ୍କୁ ଡକାଯାଇ ନିଜ ନିଜ ବ୍ଲକ୍ ପରିସରରେ କ୍ରୀଡ଼ା ସାମଗ୍ରୀ ବାକ୍ସ ପ୍ରଦାନ କରାଯାଇଥିଲା। ହେଲେ ଏହାକୁ ଦଳୀୟ ଭିତ୍ତିରେ ବାଣ୍ଟି ଦିଆଯାଇଥିବା ପଞ୍ଚାୟତର ଅସଲ କ୍ରୀଡ଼ାବିତ ମାନେ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳସ୍ତରରେ କ୍ରୀଡ଼ା ଉପକରଣ ଖୋଜୁଥିବା ପିଲାଙ୍କୁ ଏହା ସେତେବେଳେ ଦିଆଯାଇ ନଥିବା ବେଳେ ଏବେ ସେସବୁ ଉପକରଣ କେଉଁଠି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇ ସରକାରୀ ଟଙ୍କାରେ କିଣାଯାଇଥିବା ଉକ୍ତ କ୍ରୀଡ଼ା ସାମଗ୍ରୀକୁ ପଞ୍ଚାୟତସ୍ତରରେ ନିର୍ଦ୍ଦିଷ୍ଟ ଦଳର କର୍ମୀ ବାଣ୍ଟି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ପରେ ବି ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଭାଙ୍କ ପାଖରେ ତାହା ପହଞ୍ଚି ପାରିନଥିବା କହିଛନ୍ତି। ସେପଟେ ବିଜୁ ଯୁବ ବାହିନୀକୁ ବନ୍ଦ କରି ଦିଆଯାଇଥିବା ୨୦୨୧ ମାର୍ଚ୍ଚ ୧୨ ତାରିଖରେ ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଥିଲେ। ଏହାପରେ ଯୁବ ବାହିନୀକୁ ନେଇ କୌଣସି ଆଲୋଚନା ନାହିଁ। ତେଣୁ ଉକ୍ତ କ୍ରୀଡ଼ା ଉପକରଣ କାହା ପାଖରେ କେଉଁ ଅବସ୍ଥାରେ ରହିଛି ତାହାକୁ ନେଇ କେହି କେବେ ଖୋଳତାଡ଼ କରିନାହାନ୍ତି। ତେବେ ପୁରା ଜିଲ୍ଲାରେ ୫୦ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ ବଣ୍ଟନ ପାଇଁ ଖର୍ଚ୍ଚ ହୋଇଥିବା ବେଳେ ତାହାର ହିସାବ ଦେବାକୁ ପ୍ରଶାସନ ଉଚିତ ମନେ କରିନାହାନ୍ତି।