ଭୁବନେଶ୍ଵର/ଖୋର୍ଦ୍ଧା, କମିଶନରେଟ ପୋଲିସ ଓ ଖୋର୍ଦ୍ଧା ପୋଲିସର ମିଳିତ ଚଢ଼ଉ ବେଳେ ୯ ଏମଏମ କାର୍ବାଇନ ବନ୍ଧୁକ ମିଳିବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ଘରୁ ମିଳିଛି ନଗଦ ୧୯ ଲକ୍ଷ ଟଙ୍କା । ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ତାଙ୍କ ଘର ଓ ତାପଙ୍ଗ ଅଂଚଳରେ ଥିବା କ୍ରସରରେ ଗତକାଲି ରାତିରୁ ଚାଲିଛି ଚଢ଼ଉ । ତେବେ କେଉଁଠୁ ଆସିଲା ଏହି ନିସିଦ୍ଧ ବନ୍ଧୁକ ଓ ଏତେ ଟଙ୍କା ସେନେଇ ଅଧିକ ତଦନ୍ତ ଜାରୀ ରଖିଛି କମିଶନରେଟ ପୋଲିସ ।
ପ୍ରକାଶ ଥାଉକି, ଗତ ୬ ତାରିଖ ବିଳମ୍ବିତ ରାତିରେ ତମାଣ୍ଡୋ ଅଂଚଳରେ ଏହି ଅଭିଯୁକ୍ତ ମାନେ ଏକାଠି ହୋଇ କୌଣସି ଅପରାଧିକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଏହି ସମୟରେ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ପୋଲିସ ସହାୟତାରେ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଖଣି-ମୋରମ ମାଫିଆ ସଞ୍ଜୟ ଖୁଂଟିଆକୁ ପୋଲିସ ଗିରଫ କରିଥିଲା । ପୋଲିସର ଜେରା ବେଳେ ଅନ୍ୟ ୩ ସଦସ୍ୟ ଏକତ୍ରିତ ହୋଇଥିବା ସ୍ଥାନର ଠିକଣା କହିଥିଲା ସଞ୍ଜୟ । ସଞ୍ଜୟର ବୟାନ ଆଧାରରେ କମିଶନରେଟ ପୋଲିସ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୩ଟି ବନ୍ଧୁକ, ୨୦ ରାଉଣ୍ଡ ଗୁଳି, ଅନ୍ୟାନ୍ୟ ମାରଣାସ୍ତ୍ର ସହିତ ୩ଟି ଚାରିଚକିଆ ଗାଡି ଓ ଏକାଧିକ ମୋବାଇଲ ଜବତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ସଞ୍ଜୟ ପୂର୍ବରୁ ଅର୍ଥାତ ୨୦୧୪ରେ ଧଉଳି ଥାନା ଅଂଚଳରେ ଘଟିଥିବା ସୋନୁ ଓରଫ କୃତିବାସ ପାତ୍ର ହତ୍ୟାକାଣ୍ଡରେ ସାମିଲ୍ ଥିଲା । ଏହି ଘଟଣାରେ ସେ ଗିରଫ ହୋଇଥିବା ବେଳେ ଏବେ ଜାମିନ୍ ରେ ଅଛି । ଗିରଫ ଅଭିଯୁକ୍ତ ବଟକୃଷ୍ଣ ବେଗୁନିଆ, ଖୋର୍ଦ୍ଧା ଓ ତମାଣ୍ଡୋ ଥାନାର ଏକାଧିକ ମାମଲାରେ ସମ୍ପୃକ୍ତି ଥିବା ବେଳେ ପ୍ରକାଶ ଏସଟିଏଫ ଦ୍ଵାରା ପୂର୍ବରୁ ଗିରଫ ହୋଇଥିଲା ।