
ବାରିପଦା – ମୟୂରଭଞ୍ଜ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଜଣେ ଲାଂଚୁଆ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଚାକିରୀରୁ ବହିଷ୍କୃତ କରାଇଥିବାର ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଅଧୀନରେ ଥିବା ମାନଗୋବିନ୍ଦପୁର ପଂଚାୟତ ଏବଂ ଶିଆଳିଘାଟି ପଂଚାୟତର ଦୈତ୍ୟ ଭାବେ ପଂଚାୟତ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧର୍ମା ସିଂ ରାଇରଙ୍ଗପୁର ବ୍ଲକର ଭାଲୁବସା ପଂଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ କାର୍ଯ୍ୟ କରୁଥିବା ସମୟରେ ଏକ ରାସ୍ତା କାର୍ଯ୍ୟର ବିଲ୍ ପାଶ କରାଇ ଦେବା ନିମନ୍ତେ ବୁଶାମରା ଗ୍ରାମର ଘାସିରାମ ବେହେରାଙ୍କ ନିକଟରୁ ୧୭ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ରେଡ଼ ହ୍ୟାଣ୍ଡରେ ଧରାପଡ଼ି ଜେଲ ଯାଇଥିଲେ ଏବଂ ଏହି ଘଟଣାକୁ ନେଇ ଭିଜିଲାନ୍ସ କୋର୍ଟରେ ଏକ ମାମଲା ଚାଲିଥିଲା । ଗତ ଜୁନ ୨୧ରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଧର୍ମା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଓ ଜୋରିମାନାର ରାୟ ଶୁଣାଇଥିଲେ । ଉକ୍ତ ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଅପରାଧୀ ଧର୍ମା ସିଂଙ୍କୁ ନିଜର ପକ୍ଷ ରଖିବା ନିମନ୍ତେ ନଭେମ୍ବର ୨୮ ସମୟ ଧାର୍ଯ୍ୟ କରାଯାଇଥିଲା ଏବଂ ଧର୍ମା ମଧ୍ୟ ଜିଲ୍ଲାପାଳଙ୍କ ଅଦାଲତରେ ନିଜର ପକ୍ଷ ରଖିଥିଲେ । ତେବେ ଜଣେ ସରକାରୀ କର୍ମଚାରୀ ଅଦାଲତ ଦ୍ୱାରା ଦଣ୍ଡିତ ହୋଇ ନିଜର ସରକାରୀ ପଦପଦବୀରେ ରହି କାର୍ଯ୍ୟ ସମ୍ପାଦନକଲେ ଏହା ଏକ କୁପରମ୍ପରା ସୃଷ୍ଟି କରାଇବା ସଂଗେସଂଗେ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଜିଲ୍ଲା ମାଜିଷ୍ଟେ୍ରଟ ତଥା ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ହୃଦୟଙ୍ଗମ କରି ଧର୍ମା ସିଂଙ୍କୁ ଚାକିରୀରୁ ବହିଷ୍କୃତ କରାଇବା ନିମନ୍ତେ ଏକ ଆଦେଶନାମା ଜାରି କରିଥିବାର ଜଣାପଡ଼ିଛି ।