କଟକ/ଭୁବନେଶ୍ୱର- ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଏକଦିବସୀୟ ଦିବାରାତ୍ର ମ୍ୟାଚ୍ ପାଇଁ ଆସନ୍ତାକାଲିଠାରୁ (ଗୁରୁବାର) ଷ୍ଟାଡିୟମ୍ କାଉଂଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଖୋଲାଯାଇଥିବା ୧୨ଟି କାଉଂଟରରେ ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବ ।ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଟିକେଟ୍ ଦିଆଯିବ ଓ ଏଥିପାଇଁ ଜଣେ ଦର୍ଶକଙ୍କୁ ତାଙ୍କର ପରିଚୟ ପତ୍ର ଟିକେଟ୍ କାଉଂଟରରେ ଦେଖାଇବାକୁ ପଡ଼ିବ । ୧୯ ଓ ୨୦ ଦୁଇ ଦିନ ଧରି କାଉଂଟରରେ ଟିକେଟ୍ ବିକ୍ରି କରାଯିବ ।
ଇତିମଧ୍ୟରେ ଓ.ସି.ଏ. ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ପାସ୍ ବଂଟନ ଓ ଟିକେଟ୍ ବିକ୍ରି ଶେଷ ହୋଇଛି । ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମ୍ ଭିତରେ ଓ ବାହାରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆଗେଇ ·ଲିଛି । ଆସନ୍ତାକାଲି ଟିକେଟ୍ କାଉଂଟର ଗୁଡ଼ିକରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଫୋର୍ସ୍ ମୁତୟନ କରାଯିବ । ସେହିପରି ୨୨ ତାରିଖ ମ୍ୟାଚ୍ ପାଇଁ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥର ପ୍ରତି ଗ୍ୟାଲେରୀରେ ପୋଲିସ୍ ସହାୟତା କେନ୍ଦ୍ର ରହିବ ଓ ଦୁଇ ଜଣ ଅଫିସର ଏହାର ଦାୟିତ୍ୱରେ ରହିବେ । ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ କରିଥିବା ଦର୍ଶକମାନଙ୍କୁ ଆସନ୍ତାକାଲିଠାରୁ ମଧ୍ୟ କେମ୍ବ୍ରିଜ୍ ସ୍କୁଲରେ ଟିକେଟ୍ ପ୍ରଦାନ କରାଯିବ ।