-
ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲପର ଗୁରୁତର
ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ଆଜି ଭୋର ପ୍ରାୟ ପ୍ରାୟ ସାଢେ ୫ ଟା ସମୟରେ ଏକ ଲୁହା ପଥର ବୋଝଇ ଟ୍ରକ ନଂ ଓଡି ୩୫ ଏଫ୍ ୯୭୨୩ ସହ ଅନ୍ୟ ଏକ ମାଲ୍ ବୋଝେଇ ଟାଟା ମିନି ଟ୍ରକ ନଂ ଓଡି ୧୫ ଟି ୩୦୭୯) ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଜଣେ ହେଲପର୍ । ହେଲପରଙ୍କୁ ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି ।
ଲୁହା ବୋଝେଇ ଟ୍ରକଟି ଜମନକିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ମିନି ଟ୍ରକଟି ସମ୍ବଲପୁରରୁ ଲହୁଣୀପଡ଼ା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଗାଡିରେ ନିଆଁ ଲାଗିଯିବାରୁ ମିନି ଟ୍ରକରେ ଫସି ରହିଥିବା ଗାଡି ଚାଳକ ଜୀବନ୍ତ ପୋଡ଼ିଯାଇଥିବା ବେଳେ ଗୌଡ଼ପାଲି ପୋଲିସ ଗାଡ଼ିରେ ଥିବା ହେଲପରକୁ ଉଦ୍ଧାର କରିଥିଲା । ସେହିପରି ଲୁହାପଥର ବୋଝେଇ ଟ୍ରକ୍ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୌଡ଼ପାଲି ପୋଲିସ ଘଟଣାସ୍ଥଳରେ ପହଂଚି ମିନି ଟ୍ରକରେ ଫସି ରହିଥିବା ହେଲପରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଛି । ଜମନକିରା ଓ ସମ୍ବଲପୁର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ପହଂଚି ନିଆଁକୁ ଆୟତ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ଡ଼ାକ୍ତରଖାନାକୁ ପଠେଇ ଅଧିକ ତଦନ୍ତ ଜାରି ରଖିଛି ।