ମାଲକାନଗିରି, ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ବାନ୍ଧି ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗି ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ଵାରା ଏହି ଶିଶୁକନ୍ୟା ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନାପୂର୍ଣ୍ଣ ଏକ ଖତଗଦାରେ ଶିଶୁକନ୍ୟାର କାନ୍ଦ ଶୁଭିଥିଲା। ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ କିଛି ପରିବାର କାନ୍ଦ ଶୁଣି ପ୍ରଥମେ ସାହି ପଡ଼ିଶା ଘରେ କେହି ଜଣେ ଶିଶୁ କାନ୍ଦୁଥିବା ଅନୁମାନ କରିଥିଲେ । କିନ୍ତୁ, ଅନବରତ କାନ୍ଦ ଶୁଣି କିଛି ଲୋକେ ଲାଇଟ ଧରି କାନ୍ଦ ଆସୁଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ଏକ ଜରିବସ୍ତାରେ ଶିଶୁକନ୍ୟା ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏହା କୌଣସି ଅବୈଧ ସନ୍ତାନ କିମ୍ବା କନ୍ୟା ଜନ୍ମ ଯୋଗୁ ବୋଧେ କେହି ଶିଶୁକୁ ପକାଇ ପଳାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ପରେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଜନବସତି ମଧ୍ୟରେ କିଏ ଓ କାହିଁକି ଏପରି କର୍ମ କରିଛି ତାହାର ସତ୍ୟତା ଯାଞ୍ଚ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।