ଭୁବନେଶ୍ୱର, ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି । ଅଟକ ବାଲି ଗାଡ଼ିକୁ ଛାଡ଼ିଦେବାକୁ ଏକ ଲକ୍ଷ ଟଙ୍କା ଲାଂଚ ନେବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି ।
ହରଭଙ୍ଗାର ବାଲିଘାଟ ଠିକା ନେଇଥିବା ଜଣେ ବ୍ୟକ୍ତିଙ୍କର ଏକ ବାଲି ବୋଝେଇ ଗାଡ଼ିକୁ କୌଣସି କାରଣରୁ ପୁଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା । ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଂଚ ମାଗିଥିଲେ । ଶୁକ୍ରବାର ଦିନ ଅଭିଯୋଗକାରୀଙ୍କ ଠାରୁ ଆଇଆଇସି ପୁଷ୍ପଲତା ରାଉତରାୟ ଦାବି ମୁତାବକ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ । ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି । ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ।
Posted by: Desk, Indo Kaling Times