ଖୋର୍ଦ୍ଧା, ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚସି)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ପରିଣତ କରିବା ଦାବି ନେଇ ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ଦ୍ଵାରା ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦିଆଯାଇଅଛି।
ଦୀର୍ଘ ୬୦ ଦିନ ଧରି ସତ୍ୟାଗ୍ରହ କରିବା ପରେ ଆଜି ୧୦ ତାରିଖ ଠାରୁ ଏହି ବନ୍ଦକୁ ନେଇ ବିଭିନ୍ନ ଗ୍ରାମ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିଛି। ତେବେ ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ଠାରେ ଆଜି ପୂର୍ବାହ୍ନରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ମେଡ଼ିକାଲ ଆଦିକୁ ବାଦ ଦିଆଯାଇଛି।
ଏପରିକି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପିକେଟିଂ କରି ବନ୍ଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ସଭାପତି ଲାଲା ବୀରେନ ରାୟ, ଶିବ ମୁନୀ, ଆଇନଜୀବୀ ସୁଶାନ୍ତ ରାୟ, ଶିକ୍ଷାବିତ ଭାଗିରଥୀ ପରିଡ଼ା, ଦେବାଶିଷ ସାହୁ ଓ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ପ୍ରମୁଖଙ୍କ ନେତୃତ୍ଵରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଛନ୍ତି।
Posted by: Desk, Indo Kaling Times