ରାଉରକେଲା- ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ (ଡ଼୍ରଗ୍ କଂଟ୍ରୋଲର୍ ଓଡ଼ିଶା) ଭେଷଜ ନିୟନ୍ତ୍ରକଙ୍କ ବିଭାଗ ତଥା ବିଭାଗୀୟ ଅଧିକାରୀ ଏକ ପ୍ରକାର ନିରବତା ଅବଲମ୍ବନ କରିବା ସହ ଏହି ବିଭାଗ ସମ୍ପ୍ରତି ଅସାଧୁ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡିଥିବା ଅଭିଯୋଗ ହେଉଛି । ଏହାଦ୍ୱାରା ଜିଲ୍ଲାରେ ନିମ୍ନ ମାନର ଔଷଧ ସାଙ୍ଗକୁ ମିସବ୍ରାଣ୍ଡଡେଡ ଔଷଧ କାରବାର ବ୍ୟାପକ ପରିମାଣରେ ବଢି ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ଏଭଳି କାରବାର କରିବା ଲାଗି କେତେକ ବ୍ୟବସାୟୀ ଓ ବ୍ୟକ୍ତି ବିଶେଷ ବିଭାଗୀୟ ଅଧିକାରୀ ମାନଙ୍କୁ ହାତ କରି ନିଜ ମନମାନି ଚଳାଇଥିବା ଖବର ମିଳିଛି । ଏନେଇ ରାଜ୍ୟ ଭେଷଜ ବିଭାଗ ମଧ୍ୟ ପୁରା ଚୁପ୍ ହୋଇ ବସିଥିବା ଦେଖାଯାଇଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ରାଉରକେଲା ସମେତ ରାଜଗାଙ୍ଗପୁର, ବଣେଇ, ସୁନ୍ଦରଗଡ଼ ଓ ଗ୍ରାମାଂଚଳରେ ଏହି କାରବାର ଚାଲିଛି । କଲିକତା ସହରରେ ଥିବା କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କଂପାନୀର ଆଂଟିବାୟୋଟିକ, ଜ୍ୱର, ଥଣ୍ଡା ଔଷଧ ସାଙ୍ଗକୁ ଅଧିକ ବିକ୍ରୀ ହେଉଥିବା କଫସିରଫ ନାମରେ ଏଭଳି ବେନାମୀ ଔଷଧ ପ୍ରସ୍ତୁତ କରି ଏହି ସବୁ ଅଂଚଳକୁ ଛାଡୁଛନ୍ତି । ଏହି ଔଷଧର ମୂଲ୍ୟ କମ୍ ଥିବାରୁ ତାକୁ ଅଧିକ ଫାଇଦା ପାଇବା ଆଶାରେ ଡାକ୍ତରଖାନା ପାଖ ଦୋକାନୀ ଓ ଗ୍ରାମାଂଚଳରେ ଥିବା ଦୋକାନୀ ମାନେ ଅଧିକରୁ ଅଧିକ ରଖି ଲୋକଙ୍କୁ ବିକ୍ରି କରୁଥିବାର ଖବର ମିଳିଛି । ଖାଲି ସେତିକି ନୁହେଁ ଏଭଳି ଔଷଧ କାରବାର ବେଶ ସୁରୁଖୁରୁରେ ଚାଲିଥିବାରୁ ରାଉରକେଲା ସହରରେ ମଧ୍ୟ ଏହାର ତିଆର ଆରମ୍ଭ ହୋଇ ସାରିଥିବା କେତେକ ବ୍ୟବସାୟୀ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ପ୍ରକାଶ କରିଛନ୍ତି । ଏହି ଔଷଧ ଗୁଡିକ ଏଭଳି ପ୍ୟାକ୍ ହେଉଛି ଯେ, ତା’ର ନକଲି ବ୍ୟାଚ୍ ନମ୍ବର ଓ ପ୍ରସ୍ତୁତ ହେଉଥିବା ତାରିଖ ମଧ୍ୟ ଲେଖି ଦିଆଯାଉଛି । ଖାଲି ଉପରୋକ୍ତ ଔଷଧ ନୁହେଁ ଅଧିକରୁ ଅଧିକ ବିକ୍ରି ହେଉଥିବା ନାମୀ ଦାମୀ କଂପାନୀର ପ୍ରଡକ୍ଟକୁ ଏହିଭଳି ନକଲି ଭାବେ ପ୍ରସ୍ତୁତ କରାଯାଇ ବିକ୍ରୀ କରାଯାଉଥିବା ଖବର ମିଳିଛି । ଜିଲା୍ଲରେ ଥିବା ଭେଷଜ ନିରୀକ୍ଷକ ମାନେ ନିୟମିତ ଦୋକାନ ଗୁଡିକୁ ଯାଂଚ୍ ନକରିବା, ହୋଲସେଲ ମାନଙ୍କ ଉପରେ ନଜର ନରଖିବା ଏସବୁ ଏହି କାରବାରକୁ ବେଶ୍ ସୁବିଧା ଜନକ ହୋଇଥିବା କୁହାଯାଉଛି । ଏହାଦ୍ୱାରା ନକଲି ନିମ୍ନ ମାନର ଔଷଧ ଖାଇ ଲୋକ ମାନଙ୍କର ରୋଗ ଭଲ ହେବା ପରିବର୍ତେ ବିଳମ୍ବ ହେବା ସହ କେତେକଙ୍କର ଦେହ ଅଧିକ ଖରାପ ହେଉଥିବାରୁ ଡାକ୍ତର ମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ବର୍ତମାନ ଜିଲ୍ଲାରେ ପାଖା ପାଖି ୮୦୦ ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲସେଲର ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସରକାରୀ ଓ ଘରୋଇ ଡାକ୍ତରଖାନା ଅଲଗା ରହିଛି । ଏସବୁ ଡାକ୍ତରଖାନା ଆଖପାଖରେ ଥିବା ଔଷଧ ଦୋକାନ ମାନଙ୍କରେ ମଧ୍ୟ ସେସବୁ ଔଷଧ ବିକ୍ରୀ କରାଯାଉଛି । କିନ୍ତୁ, ଏନେଇ ସମସ୍ତେ ଲାଇସେନ୍ସ ମଧ୍ୟ ନେଇନଥିବା ଖବର ମିଳିଛି । ଜିଲ୍ଲାରେ ନିମ୍ନ ମାନର, ନକଲ, ମିସବ୍ରାଣ୍ଡଡେଡ ଓ ବିନା ଲାଇସେନ୍ସରେ ଦୋକାନ ଚଳିବା ନେଇ ଡ୍ରଗ୍ସ ଇନ୍ସପେକ୍ଟର ମାନେ ମାମଲା ରୁଜ୍ଜୁ କରୁନଥିବାରୁ ଏଭଳି ବ୍ୟବସାୟ ବଢିବାରେ ଲାଗିଛି । ମଣିଷ ସମାଜ ନିଜ ସ୍ୱାସ୍ଥ୍ୟ କୁ ନେଇ ଯତ୍ନବାନ ହେଉଥିବା ବେଳେ ରୋଗରୁ ମୁକ୍ତି ପାଇବା ଲାଗି ଯେଉଁ ଔଷଧ ଉପରେ ଭରଷା କରିବା କଥା ତାହାର ବ୍ୟବସ୍ଥା ଯଦି ଏଭଳି ହୁଏ ତେବେ କାହା ଉପରେ ଲୋକେ ଭରଷା କରିବେ ଡ଼ାକ୍ତର ନା ଔଷଧ ଉପରେ ବୋଲି ବୁଦ୍ଧିଜିବୀ ମହଲରୁ ପ୍ରଶ୍ନ ହେଉଛି । ଏଭଳି କାରବାର ପଛରେ ବ୍ୟାପକ ଅର୍ଥ କାରବାର ହିଁ ମୂଳ ବୋଲି କୁହାଯାଉଥିବା ବେଳେ ରାଜ୍ୟ ବିଭାଗୀୟ ମୁଖ୍ୟ ମାନେ ନିରବତା ଅବଲମ୍ବନ କରି ନୀରିକ୍ଷକ ମାନଙ୍କୁ ଘଂଟ ଘୋଡାଉଥିବାରୁ ଏଭଳି କାରବାର ବଢି ଚାଲିଛି ।