-
ପ୍ରଚ୍ଛଦରେ ଓଡ଼ିଆ ପରମ୍ପରାକୁ ଫୁଟାଇଲେ ଶୁଭ୍ରାଙ୍ଗୀ ଅଙ୍କିତା
-
ବିଶେଷ ମୁଦ୍ରାରେ ଅପ୍ରତିଦ୍ଵନ୍ଦ୍ଵୀ ଅଜୟ ସ୍ଵାଇଁ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ଓଡିଆ ପାଠକମାନଙ୍କ ପାଖରେ ଖୁବ୍ କମ ସମୟ ଭିତରେ ଆଦୃତି ଲାଭ କରିଥିବା ମାସିକ ପାରିବାରିକ ଫିଚରଧର୍ମୀ ପତ୍ରିକା ‘ରେବତୀ’ର ଡିସେମ୍ବର ସଂଖ୍ୟା ଇତିମଧ୍ୟରେ ପ୍ରକାଶ ପାଇଛି। ସମାଜସେବୀ ସୁବାସିନୀ ଜେନାଙ୍କ ସମ୍ପାଦନାରେ ରେବତୀ ମିଡିଆ ହାଉସ୍ (ପ୍ରା) ଲିଃ. କର୍ତ୍ତୃକ ପ୍ରକାଶିତ ‘ରେବତୀ’ ଗତବର୍ଷ ଅକ୍ଟୋବର ମାସରେ ଜନ୍ମଲାଭ କରି ଅଦ୍ୟାବଧି ଓଡିଶାର ଭାଷାସାହିତ୍ଯ, ସଂସ୍କୃତି ଓ ପରମ୍ପରା, ଐତିହ୍ୟ ଓ ଇତିହାସ, ସ୍ଵାସ୍ଥ୍ୟ, କୃଷି ଓ ନଦନଦୀ, ଜୀବନ ଓ ଜୀବିକା, ଏପରି ଅନେକ ପ୍ରସଙ୍ଗରେ ଆଲେଖ୍ୟ ପ୍ରସ୍ତୁତ କରି ପାଠକମାନଙ୍କୁ ପରଷି ଦେଇଆସୁଛି। ପାଠକଙ୍କ ଆଦର ଓ ସମର୍ଥନ ଫଳରେ ‘ରେବତୀ’ ସାରା ରାଜ୍ୟ ଏବଂ ରାଜ୍ୟ ବାହାରର କିଛି ପାଠକଙ୍କର ପ୍ରିୟ ପତ୍ରିକା ଭାବେ ପରିଚିତ ହୋଇପାରିଛି। ‘ସଚିତ୍ର ବିଜୟା’ ଓ ‘ସାନନ୍ଦା’ ବନ୍ଦ ହୋଇଯିବା ପରେ ପୂର୍ଣାଙ୍ଗ ଫିଚରଧର୍ମୀ ପତ୍ରିକାର ଯେଉଁ ଅଭାବ ସୃଷ୍ଟି ହୋଇଥିଲା, ସେ ଅଭାବକୁ ଅଳ୍ପାଂଶରେ ‘ରେବତୀ’ ପୂରଣ କରିଛି ବୋଲି ବହୁ ପାଠକ ପ୍ରକାଶ କରିଛନ୍ତି।
ଚଳିତ ଡିସେମ୍ବର ସଂଖ୍ୟାଟି ବର୍ଷ ଶେଷ ସଂଖ୍ୟା ଭାବେ ସୁନ୍ଦର ପ୍ରଚ୍ଛଦ ଓ ଶୋଭନୀୟ ପରିପାଟୀରେ ଆତ୍ମପ୍ରକାଶ କରି ସମ୍ପ୍ରତି ଏବେ ଓଡ଼ିଶାର ବିଭିନ୍ନ ପତ୍ରିକା ଷ୍ଟଲମାନଙ୍କରେ ବିକ୍ରି ହେଉଛି। ପଚାଶ ଟଙ୍କା ମୂଲ୍ୟ ଥିବା ଏ ପତ୍ରିକାଟି ସମ୍ପୂର୍ଣ୍ଣ ରଙ୍ଗୀନ ମୁଦ୍ରଣ ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଗ୍ଲସି କାଗଜରେ ନୂଆ ଓ ଭିନ୍ନ ଧରଣର ଆଲେଖ୍ୟକୁ ନେଇ ପ୍ରକାଶିତ ହେଉଥିବା ବେଳେ ଏହାର ଲେଖାର ବିବିଧତା ହିଁ ପାଠକଙ୍କୁ ବାନ୍ଧି ରଖୁଛି ବୋଲି ଜନୈକା ପାଠିକା ମତ ଦେଇଛନ୍ତି। ମାଣବସା ଗୁରୁବାରକୁ ନେଇ ଅଭିନେତ୍ରୀ ଅଙ୍କିତା ଦାଶ କଭର୍ ମଡେଲ୍ ସାଜିଥିବା ବେଳେ କଭର୍ ନିର୍ମାଣରେ କ୍ରିଏଟିଭ୍ ନିର୍ଦ୍ଦେଶକ ସଂଜୟ ଭଟ୍ଟ ଏବଂ ଗ୍ରାଫିକ୍ ଡିଜାଇନର୍ ଶିବରାଜ୍ କମ୍ପ ପ୍ରଚ୍ଛଦକୁ ଲୋଭନୀୟ କରିଛନ୍ତି ବୋଲି ‘ରେବତୀ’ର ଆସୋସିଏଟ୍ ଏଡିଟର୍ କବି କୃଷ୍ଣ କୁମାର ମହାନ୍ତି କହିଛନ୍ତି।
ପାଠକଙ୍କ ପଢିବା ନିମନ୍ତେ ଏଥରର ଏ ସଂଖ୍ୟାରେ ଅଛି ଯାଜପୁରର କୁସୁମା ପୋଖରୀ ସମ୍ପର୍କିତ ଫଟୋ ଓ ଆଲେଖ୍ୟ, ଖିଚିଂରେ ଥିବା କୀଚକେଶ୍ଵର ମନ୍ଦିରକୁ ନେଇ ଉପସ୍ଥାପନା, ନୂଆ ଅଭିନେତ୍ରୀ ଭୂମିକାଙ୍କ ସହିତ ବିଶେଷ ସାକ୍ଷାତକାର, କବି ହୃଷୀକେଶ ମଲ୍ଲିକଙ୍କ କବିତା ସମଗ୍ର ଉପରେ ସିଂହାବଲୋକନ, କୈବର୍ତ୍ତଙ୍କ ଚଇତି ଘୋଡାନାଚ ସମ୍ପର୍କରେ ଆଲୋଚନା, ଗାଳ୍ପିକ ରାଜେନ୍ଦ୍ର ରାଉଳ ନିଜ ସେଲିବ୍ରିଟି ବାପାଙ୍କ ସମ୍ପର୍କରେ ଲେଖିଥିବା ସଜଳ ଆଲେଖ୍ୟ, ସୁବର୍ଣ୍ଣପୁରର ଅଷ୍ଟଚଣ୍ଡୀ ସମ୍ପର୍କରେ ପ୍ରତିବେଦନ, ସୌଭାଗିନୀ ପରିଡା, ପ୍ରଶାନ୍ତ ଦାସ ଓ ସିନ୍ଧୁ ସେନଙ୍କ ତିନୋଟି ଭିନ୍ନ ସ୍ଵାଦର ଗଳ୍ପ, ଫ୍ୟାଶନ୍ ପୃଷ୍ଠାରେ କୋଟପାଡ୍ ବସ୍ତ୍ର ସମ୍ପର୍କରେ ସ୍ନିଗ୍ଧା ତ୍ରିପାଠୀଙ୍କ ସୂଚନା, ସୌନ୍ଦର୍ଯ୍ୟ ପୃଷ୍ଠାରେ ସସ୍ମିତା ମେହେରଙ୍କ ଶୀତଦିନିଆ ରୂପଚର୍ଚ୍ଚା, ରୋଷେଇ ପୃଷ୍ଠାରେ ପିଠାପଣାର ନାନା ବ୍ୟଞ୍ଜନ ସାଙ୍ଗକୁ ପିଲାମାନଙ୍କ ପାଇଁ ରହିଛି ପଞ୍ଚତନ୍ତ୍ର କାହାଣୀ ଓ କବିତାରେ ଦଶଟି ମନଛୁଆଁ କବିତା ପଢିବାକୁ ପାଇବେ।