

ନୂଆପଡ଼ା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ପଂଚାୟତର ଉପରପିଟା ଗ୍ରାମରେ ଜଣେ ଯୁବକଙ୍କ ମୃତ ଦେହ ଖଡିଆଳ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଉପରପିଟା ଗ୍ରାମର ଖିରସିନ୍ଧୁ ଶବର(୩୩) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଖିରସିନ୍ଧୁଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବଡଭାଇ ଜଳଧର ଶବର ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାମତେ ଗତକାଳି ଉପରପିଟା ଗ୍ରାମର ଖିରସିନ୍ଧୁ ଶବର ଗ୍ରାମ ନିକଟସ୍ଥ ଏକ ପଳସା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସଙ୍କୁ ବଡଭାଇ ଜଳଧରଙ୍କ ଅଭିଯୋଗ ପରେ ପୁଲିସ ମୃତ ଦେହକୁ ଉଦ୍ଧାର କରି ୩୪୯/୨୦୧୯ରେ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏନେଇ ଖଡିଆଳ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ ।