
କିଛି ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ରେ ଭକ୍ତଙ୍କ ଦର୍ଶନ ଠାରୁ ଶୃଙ୍ଖଳିତ ଯାତ୍ରା ପାଇଁ ସେଣ୍ଟ ଜୋନ ଆମ୍ବୁଲାନ୍ସ ପୁରୀ ଜିଲ୍ଲା ପକ୍ଷରୁ ଲକ୍ଷଲକ୍ଷ ଭକ୍ତ-ପର୍ଯ୍ୟଟକଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ଓ ଜଳସେବା ଯୋଗାଇଦେବ ବୋଲି କହିଛନ୍ତି ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆମ୍ବୁଲାନ୍ସ ର ତିନିଦିନିଆ ଆଶୁ ଚିକିତ୍ସା ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରି ଶ୍ରୀବର୍ମା, ରଥଯାତ୍ରା ଗ୍ରୀନ କରିଡରରେ ସେଣ୍ଟ ଜନ୍ ର ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀମାନେ ଦକ୍ଷତା ଓ ଶୃଙ୍ଖଳା ର ସହ କାର୍ଯ୍ୟ କରିବେ ବୋଲି ଆହ୍ୱାନ ଦେଇଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ବଦ୍ରି ମିଶ୍ରଙ୍କ ସଭାପତିତ୍ବ ଓ ଜିଲ୍ଲା ର ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ତାଲିମ ଶିବିର ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର,ଚଳିତ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି , ସ୍ବେଛାସେବୀମାନେ ଅଚେତ ଓ ଆହାତ ଭକ୍ତଗଣଙ୍କ ଜୀବନ ସୁରକ୍ଷା ପାଇଁ ସେବା ସମର୍ପଣ ଭାବନା ସହ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜଳସେଚନ ବିଭାଗର ଇଂଜିନିୟର ତଥା ବିଶିଷ୍ଟ ଜଳକ୍ରୀଡାବିତ୍ ରତ୍ନାକର ଦଳାଇ, ଜଳଯୋଗାଣ ବିଭାଗ ର ଇଂଜିନିୟର ଭବାନୀ ମହାନ୍ତି,ଏଡିଏମ୍ଓ ପ୍ରଣୟ ପ୍ରକାଶ ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୀତେନ୍ଦ୍ର ପାତ୍ର, ଚିକିତ୍ସା ଅଧିକାରୀ ବିରଜା ଶଂକର ରଥ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଂକର ଯୋଶୀ, ଡାକ୍ତର ଦେବ ଦାସ, ହୋଟେଲ ଆସୋସିଏସନ୍ ର ରାଜକିଶୋର ପାତ୍ର, ବିଭୁପ୍ରସାଦ ସାହୁ, ଗୌରହରି ପ୍ରଧାନ,ଚକ୍ରଧର ମହାପାତ୍ର,ମନୋଜ ରଥ ଯୋଗଦେଇ ଫାଷ୍ଟ ଏଡ୍ ଟ୍ରେନିଂ ର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ପରେପରେ ପ୍ରଶିକ୍ଷକ ବିକାଶ ପ୍ରସାଦ, ଡକ୍ଟର ପବିତ୍ର ପ୍ରଧାନ,ଅମିତ୍ ଦାସ,ପ୍ରଶିକ୍ଷିକା ନମିତା ପଟ୍ଟନାୟକ ଓ ଜୟନ୍ତୀ ମହାପାତ୍ର,୯୬ ଜଣ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ସେବା ଯୋଗାଇଦେବେ ସେଣ୍ଟ ଜୋନ ଆମ୍ବୁଲାନ୍ସ ର ସ୍ୱେଚ୍ଛାସେବୀ ମାନେ।ଏଥିସହ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ କିପରି ଯାତାୟତ କରିବ ସେ ନେଇ ଗ୍ରୀନ କରିଡର ପାଇଁ ମଧ୍ୟ ଏହି ପ୍ରଶିକ୍ଷଣ ଦିଆଯାଇଛି । ଏହାବ୍ୟତୀତ ରଥଯାତ୍ରା ସମୟରେ ଅଘଟଣ ରୋକିବା, ଅସୁରକ୍ଷିତ କୋଠାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା , ବିଶେଷକରି ଗୁଣ୍ଡିଚା ମନ୍ଦିର ନିକଟ ବଡ଼ଦାଣ୍ଡ ରେ ପ୍ରତିଦିନ ଜନସେବା ଦେବାପାଇଁ ନିଷ୍ପତ୍ତି ହୋଇଛି।ମିଶନ ଓଡ଼ିଶା, ରୋଟାରୀ କ୍ଲବ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଜିଲ୍ଲା ପ୍ରଶାସନର ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶାଶ୍ଵତ ମହାନ୍ତି, ଦେବରାଜ ସାହୁ, କେଦାରନାଥ ମହାପାତ୍ର,ଲାଲା ଅନନ୍ତ ସିଂ , ରଶ୍ମିତା ଦାସ ମହାପାତ୍ର, ଦିଲ୍ଲୀପ ନନ୍ଦ, ପ୍ରିୟଙ୍କା ମହାପାତ୍ର ଓ ଜି ବାପି, ଅଜୟ ପ୍ରଧାନ, ରମାକାନ୍ତ ଜେନା, ବିଶ୍ବଜିତ ଲେଙ୍କା, ପ୍ରୟାଶ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଅପରାହ୍ନ ରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ରାଜ୍ୟ ସଂପାଦକ ଏହି ତାଲିମ ଶିବିର ରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାବେଳେ, ଆସନ୍ତା ୧୪ ତାରିଖର ଉଦଯାପନ ଶିବିର ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯୋଗଦାନ କରିବେ ବୋଲି ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ର ଜଣାଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO