-
ସଂସ୍କୃତି ହିଁ ଜାତିର ପରିଚୟ-ଶ୍ରୀ ହୋତା,
ବ୍ରହ୍ମଗିରି ସ୍ଥାନୀୟ ଗୋଖରା ସ୍ଥିତ ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ପରିସରରେ ଶତାବ୍ଦୀ ମହିଳା ସମିତି ଏବଂ ଉତ୍କଳ ପୂଜ୍ୟପୂଜା ପରିଷଦ ଆନୁକୂଲ୍ୟରେ ପ୍ରଥମ ବ୍ରହ୍ମକ୍ଷେତ୍ର ମହୋତ୍ସବ ଉଦଘାଟିତ ହୋଇଯାଇଛି।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ପ୍ରାୟୋଜିତ ଏହି ଉତ୍ସବକୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ହରିହର ହୋତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶ୍ରୀ ହୋତା କହିଥିଲେ ଯେ ବ୍ରହ୍ମଗିରି ହେଉଛି ବ୍ରହ୍ମକ୍ଷେତ୍ର।ଏଠାକୁ ଦୁଇଜଣ ଶ୍ରୀ ଚୈତନ୍ୟ ଓ ଶ୍ରୀ ରାମାନୁଜାଚାର୍ଯ୍ୟ ଆସି ବ୍ରହ୍ମକ୍ଷେତ୍ରର ମହିମା ଗାନ କରିଛନ୍ତି। ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଲୋକକଳା, ଲୋକଗୀତ, ଲୋକନୃତ୍ୟ ର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ହେଲେ ଆମ ମହାନ୍ ଉତ୍କଳୀୟ ସଂସ୍କୃତି ଦୀର୍ଘକାଳ ପର୍ଯ୍ୟନ୍ତ ବଞ୍ଚି ରହିବ ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ରୂପେ ତତ୍ତ୍ଵ କବି ବିଭୁ ଦାସ, ଭିକାରୀ ଚରଣ ଜେନା ଯୋଗଦେଇ କହିଥିଲେ ଯେ ବ୍ରହ୍ମକ୍ଷେତ୍ର ଶିଳା ବ୍ରହ୍ମ ଶ୍ରୀ ଅଲାରନାଥଙ୍କ ପାବନ ଭୂମି।ପୁରୀରୁ ପ୍ରୟାଗୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଉଛି ବ୍ରହ୍ମକ୍ଷେତ୍ର। ସ୍ବୟଂ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ମାଣିକ ପାଟଣା ଠାରେ ମାଣିକ ହସ୍ତରୁ ଦହି ପାନ କରିଥିଲେ।ବ୍ରହ୍ମକ୍ଷେତ୍ର ମହୋତ୍ସବ ହିଁ ଭବିଷ୍ୟତରେ ବ୍ରହ୍ମଗିରିର ମହାନ ସାଂସ୍କୃତିକ ପରିଚୟ ପ୍ରଦାନ କରିବାରେ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି, ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଜୟ ଶଙ୍କର ଯୋଷୀ ଯୋଗଦେଇ ସଂସ୍କୃତି ଉପରେ ମତାମତ ରଖିଥିଲେ। ଅଧିବକ୍ତା ଦିଗମ୍ବର ବେହେରା ମହୋତ୍ସବରେ ଅଧ୍ୟକ୍ଷତା କରିଥିଲେ ଏବଂ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଉତ୍କଳ ପୂଜ୍ୟପୂଜା ପରିଷଦ ର ସମ୍ଫାଦକ ସମୀର କୁମାର ପ୍ରଧାନ ମହୋତ୍ସବ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ସଂସ୍କୃତି ସଂଗଠକ ଅଜୟ କୁମାର ସ୍ବାଇଁ ପରିଚାଳନା କରିଥିଲେ।୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍କଳ ସଂସ୍କୃତି ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଦୀକ୍ଷା, କୁମାର କବି କଳା ବିକାଶ କେନ୍ଦ୍ର, ମହାବୀର ଡ୍ୟାନ୍ସ ଗୃପ୍,ଭାବକୁଣ୍ଡଳେଶ୍ବର ପାଲା ମଣ୍ଡଳର କଳାକାରମାନେ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ। ସୁଶ୍ରୀ ରୋଜାଲିନ ପ୍ରଧାନ ପ୍ରାରମ୍ଭରେ ନବଦୁର୍ଗା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ, ଡାଲଖାଇ, ରସରକେଲି,ପାଲା, ଦାସକାଠିଆ ନୃତ୍ୟ ରେ ମହୋତ୍ସବ ସ୍ଥଳ ପ୍ରକମ୍ପିତ ହୋଇଥିଲା। ଶତାଧିକ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମକୁ ସହଦେବ ବେହେରା, ବ୍ରହ୍ମଚାରୀ ପଲାଇ, ନୀଳକଣ୍ଠ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବରେ ଲକ୍ଷ୍ମୀଧର ତ୍ରିପାଠୀ, ତରୁଣ କବି ଦାମୋଦର ପରିଡ଼ା, ଆର୍ତ୍ତତ୍ରାଣ ମିଶ୍ର, ସୁରେନ୍ଦ୍ର ନାଥ ରାଉତରାୟ, ନୀଳାମ୍ବର ତ୍ରିପାଠୀ, ଭିକାରୀ ଚରଣ ପରିଡ଼ା, ଭିକାରୀ ଚରଣ ଜେନା, ଆଲୋକ କୁମାର ପ୍ରଧାନ, ଭାଗିରଥି ଦଳାଇ, ବିରଞ୍ଚି ପ୍ରଧାନ, ରୋଜାଲିନ ପ୍ରଧାନ,ବାନାମ୍ବର ପାଣିଗ୍ରାହୀ, ଲକ୍ଷ୍ମୀ ଧରି ବେହେରା ପ୍ରମୁଖ ଙ୍କୁ ଉତ୍କଳ ସଂସ୍କୃତି ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।