
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗା ପକ୍ଷରୁ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ନିମନ୍ତେ ଆଜି ବୁଢ଼ୀମା ତୋଟା କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରଜ ମହୋତ୍ସବ କମିଟିର ସଭାପତି ଭକ୍ତ ଚରଣ ଦାସ , ସମ୍ପାଦକ ବିଜୟ କୁମାର ସ୍ବାଇଁ , ପାଣ୍ଡ ଜାଗାର କୋଷାଧ୍ୟକ୍ଷ ଦିଗମ୍ବର ପଣ୍ଡା ,ସହ ସମ୍ପାଦକ ମନୋରଞ୍ଜନ ପାଲ ଓ ରଜ ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ସମୀର କୁମାର ସାମନ୍ତରାୟ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଆଧୁନିକ ସମାଜରେ ଦିନକୁ ଦିନ ଉତ୍କଳୀୟ ପରମ୍ପରା ତାର ସତ୍ତା ହରାଉଥିବା ବେଳେ ମାର୍କଣ୍ଡେଶ୍ୱର ସାହି ପାଣ୍ଡ ଜାଗା ପ୍ରତି ବର୍ଷ ରଜ ମହୋତ୍ସବ ଆୟୋଜନ କରି ଉତ୍କଳୀୟ ପର୍ବ ପର୍ବାଣୀକୁ ଉଦଜିବିତ କରିବାର ପ୍ରୟାସ ଦୀର୍ଘ ନଅ ବର୍ଷ ଧରି ଜାରି ରଖିଛି ବୋଲି ସଭାପତି ଶ୍ରୀ ଦାସ ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ଓଡ଼ିଆ ପର୍ବ ପର୍ବାଣୀ ପାଳନରେ ପାଣ୍ଡ ଜାଗାର ଭୂମିକା ଅନନ୍ୟ ବୋଲି କହିଥିଲେ । ଚଳିତ ବର୍ଷ ରଜ ମହୋତ୍ସବ ଜୁନ ୧୪ ତାରିଖ ଠାରୁ ଜୁନ ୧୭ ପର୍ଯ୍ୟନ୍ତ ଦୀର୍ଘ ଚାରି ଦିନ ପାଳନ କରାଯିବ । ଏହି ଅବସରରେ ମହିଳା ଓ ଝିଅମାନଙ୍କୁ ନେଇ ପୁଚି, ଝୋଟି , ଦଉଡ଼ି ଡ଼ିଆଁ ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା କରାଯିବ । ରଜ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ କୁଲଦୀପ ପଟ୍ଟନାୟକ ଏବଂ ତାଙ୍କ ସାଥୀମାନେ ସଙ୍ଗୀତ ପରିବେଷଣ କରିବେ | ତୃତୀୟ ସନ୍ଧ୍ୟାରେ ଓଡ଼ିଆ କମେଡିଆନ ମିଷ୍ଟର ଗୁଲୁଆ , କାଳିଆ ଷଣ୍ଢ ଓ ନାଲି ଆମ୍ବ ସେମାନଙ୍କ କମେଡି ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିବେ ଏବଂ ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରା ଯିବା ସହ ରଜ କୁଇନ ଘୋଷଣା କରାଯିବ ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ସ୍ବାଇଁ ମତବ୍ୟକ୍ତ କରିଥିଲେ । ଏହି ରଜ ମହୋତ୍ସବରେ ଅଧିକରୁ ଅଧିକ ମହିଳା ଓ ଝିଅମାନେ ଯୋଗ ଦେବା ପାଇଁ ଅନୁରୋଧ କରିବା ସହ ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀ ସାମନ୍ତରାୟ । ଏହି ମହୋତ୍ସବରେ ବିଭିନ୍ନ ଖାଦ୍ୟ ଦୋକାନ, ରଜ ପାନ ଦୋକାନ,ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ସହ ୩୦ ରୁ ଅଧିକ ଦୋଳି ଲାଗିବାର ଆୟୋଜନ କରାଯାଇଛି । ସବ୍ୟସାଚୀ ସାହୁ, ନାଗେଶ୍ଵର ରାଉତରାୟ ଓ ସୁବୋଧ କୁମାର ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।