ଭୁବନେଶ୍ୱର – ମହାନଦୀ ଜଳ ବିବାଦ ମାମଲାରେ ଫେବୃଆରି ୧ ତାରିଖ ସୁଦ୍ଧା ସମସ୍ତ ପ୍ଲିଡିଂ ସମାପ୍ତ କରିବାକୁ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ଓଡିଶା ଓ ଛତିଶଗଡକୁ ନିଦେ୍ର୍ଧଶ ଦେଇଛନ୍ତି । ଫେବୃଆରି ୧ ତାରିଖରେ ପରବର୍ତୀ ଶୁଣାଣି ହେବ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବି·ରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉଭୟ ଓଡ଼ିଶା ଓ ଛତିଶଗଡ଼ର ପକ୍ଷ ଶୁଣିବେ ।
ଶନିବାର ଟ୍ରିବ୍ୟୁନାଲଙ୍କ ନିକଟରେ ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳର ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରିଥିବା ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ । ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା । ତେଣୁ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଅନୁମତି ଦେଇଛନ୍ତି ।
ଏହି ନିଷ୍ପତି ପରେ ଉଭୟ ରାଜ୍ୟର ଅଧିକାରୀ ଆଗାମୀ ଜାନୁଆରି ମାସରେ କ୍ଷେତ୍ର ପରିଦର୍ଶନ କରିବେ । ପ୍ରଥମେ ଛତିଶଗଡ଼ ଟିମ୍ ଜାନୁଆରୀ ୧୪ ତାରିଖରେ କ୍ଷେତ୍ର ପରିଦର୍ଶନରେ ଆସିବେ ଏବଂ ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିମ ଛତିଶଗଡ଼ ପ୍ରକଳ୍ପ ପରିଦର୍ଶନ କରିବେ ।
ସୂଚନାଯୋଗ୍ୟ, ଅକ୍ଟୋବର ୨୯ରୁ ନଭେମ୍ବର ୩ ତାରିଖ ଭିତରେ ଓଡ଼ିଶା ପ୍ରତିନିଧି ଦଳ ଛତିଶଗଡ଼ ଯାଇ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ । ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ଼ ଟିମ୍ ମଧ୍ୟ ଓଡ଼ିଶା ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ ବୁଲିଦେଖିଥିଲେ ।