ଖୋର୍ଦ୍ଧା, ଗତକାଲି ବିଳମ୍ବିତ ରାତ୍ରିରେ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ସୂଚନା ମୁତାବକ, ଭୁବନେଶ୍ଵରରୁ ନମସ୍କାର ନାମକ ଏହି ବସଟି ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିଲା। ଗତକାଲି ରାତି ପାଖାପାଖି ୨ଟା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବସରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସଙ୍ଗେସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।