
କେନ୍ଦ୍ରାପଡ଼ା – ୨୦୧୯-୨୦ ଆର୍ଥିକ ଜନଗଣନା କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ପରିଚାଳନା ପାଇଁ ତାଲିମ୍ ପ୍ରାପ୍ତ ଜନସେବା କେନ୍ଦ୍ର ଗୁଡିକୁ ଉପେକ୍ଷା କରାଯାଇ ଅଣତାଲିମ୍ ପ୍ରାପ୍ତଙ୍କୁ ସୁଯୋଗ ଦିଆଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ତାଲିମ୍ ପ୍ରାପ୍ତ ଜନସେବା କେନ୍ଦ୍ରର ପରିଚାଳକମାନେ ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଆର୍ଥିକ ଜନଗଣନା କାର୍ଯ୍ୟ ୨୦୧୯-୨୦ ପରିଚାଳନା କରିବା ପାଇଁ ଏହି ଜନସେବା କେନ୍ଦ୍ରର ପରିଚାଳକ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରି ଓ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇଥିବା ଜନସେବା କେନ୍ଦ୍ରର ଏହି ପରିଚାଳକମାନଙ୍କୁ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିର୍ଭର ପ୍ରତିଶ୍ରୁତି ମିଳିଥିବାବେଳେ ଏନ୍.ଆଇ.ସି ପକ୍ଷରୁ ଆର୍ଥିକ ଜନଗଣନା ପରିଚାଳନା ପାଇଁ ସଂପୂର୍ଣ୍ଣ ନୂତନ ଅନଭିଜ୍ଞ ମାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଜନସେବା କେନ୍ଦ୍ର ପରିଚାଳକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାସହ ଜନସେବା କେନ୍ଦ୍ର ମାଧ୍ୟମରେ ଏଲ୍ପିଜି ଗ୍ୟାସ୍ ବିତରଣ ପାଇଁ ୧୦ ହଜାର ଟଙ୍କା ଲେଖାଏ ସିକୁରିଟି ଜମା ରଖାଯାଇଥିଲେ ମଧ୍ୟ ଏହି କେନ୍ଦ୍ର ମାନଙ୍କୁ ଏପର୍ଯ୍ୟନ୍ତ ଗ୍ୟାସ ବିତରଣ ଅନୁମତି ପ୍ରଦାନ କରାଯାଇନାହିଁ । ପ୍ରାୟ ବର୍ଷକ ପୂର୍ବେ ଟଙ୍କା ଜମା ରଖାଯାଇଥିଲେ ମଧ୍ୟ ଜନସେବାକେନ୍ଦ୍ର ମାନେ ବିତରଣ ସୁଯୋଗ ନପାଇଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଜନସେବା ସଂଘର ସଭାପତି ରାଜେନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ପ୍ରେମରଂଜନ ମହାନ୍ତି, ପ୍ରଶାନ୍ତ ମହାନ୍ତି, ବାସୁଦେବ ପାତ୍ର, ପ୍ରଶାନ୍ତ ମହାନ୍ତି ବହୁସଂଖ୍ୟକ ଜନସେବା କେନ୍ଦ୍ର ପରିଚାଳକମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ ।