ଖୋର୍ଦ୍ଧା, ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ସାନ ଭାଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରବୀନ୍ଦ୍ର ନାୟକ ଓ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିଲେ। ସେହି ଗ୍ରାମର ବସନ୍ତ ନାୟକ ପ୍ରଚୁର ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ରବିନ୍ଦ୍ରଙ୍କ ଘର ଭିତରକୁ ପଶି ଆସିଥିଲେ। ତେବେ ବସନ୍ତ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁଲୁହାଣ କରିବା ସମୟରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଞ୍ଚି ବସନ୍ତକୁ ପ୍ରତିରୋଧ କରିଥିଲେ। ବିରୋଧ ସମୟରେ ବସନ୍ତ ରବୀନ୍ଦ୍ରଙ୍କର ବେକକୁ କାତିରେ ଆକ୍ରମଣ କରିଥିଲା।ଆକ୍ରମଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।