-
ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ: ବିଜେପି
-
ଝାରସୁଗୁଡାରେ ମୁକ୍ତ, ଅବାଧ, ନିରପକ୍ଷ ନିର୍ବାଚନ କରିବାକୁ ଦାବି
-
ସରକାରୀ କର୍ମଚାରୀ ବିଜେଡି ପାଇଁ କର୍ମୀଭଳି ପ୍ରଚାର କାର୍ଯ୍ୟ କରୁଛନ୍ତି
ଭୁବନେଶ୍ୱର,ଝାରସୁଗୁଡା ଉପନିର୍ବାଚନରେ ବିଜୁ ଜନତା ଦଳ ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଂଟି ନିର୍ବାଚନ ଆଇନ ଉଲଘଂନ କରୁଛନ୍ତି । ଯାହାର ପ୍ରମାଣ ଗତକାଲି ଭାରତୀୟ ଜନତା ପାର୍ଟି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ ବିଜେଡିର କର୍ମୀଭଳି ପ୍ରଚାର କରି ଆସୁଛନ୍ତି । ଗତକାଲି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ । ସେହିପରି ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲା ଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନଁାଁରେ ପ୍ରଚାର ପ୍ରସାର କରୁଛନ୍ତି । ଏହା କେବଳ ନିର୍ବାଚନର ଆଚରଣ ବିଧିକୁ ଉଲଘଂନ କରିବା ସହ ଲୋକପ୍ରତିନିଧି ଅଧିନିୟମ ୧୯୫୧ଅନୁସାରେ ସରକାରୀ ଚାକିରୀ କରିଥିବା କୌଣସି ବ୍ୟକ୍ତି ପ୍ରାର୍ଥୀ ପାଇଁ ପ୍ରଚାର କରିପାରିବେ ନାହିଁ । ସରକାରୀ ଚାକିରିରେ ଥାଇ ସରକାରୀ ତହବିଲରୁ ଟଙ୍କା ନେଇ ବିଜେଡି ଦଳର ପ୍ରଚାର କରୁଥିବାରୁ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ସରକାରୀ ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଝାରସୁଗୁଡା ଉପନିର୍ବାଚନ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ହେଉ । ଝାରସୁଗୁଡାରେ ସରକାରୀ କଳ, ବଳ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରିବାକୁ ଅପଚେଷ୍ଟା ଚଳାଇଛି ବିଜୁ ଜନତା ଦଳ । ଝାରସୁଗୁଡାର ମା, ଭଉଣୀମାନେ ବିଜେଡିର ମିଥ୍ୟା, ଫମ୍ପା କଥାରେ ପ୍ରଭାବିତ ନହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇ ଁ ନିବେଦନ କରିଛନ୍ତି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।