ମାଲକାନଗିରି, ବଣ ଜଙ୍ଗଲ ଘେରା ପାହାଡ । ସବୁଆଡେ ଘଂଚ ଅରଣ୍ୟ । ଏହାରି ମଧ୍ୟରେ ଏମାନେ କିଛିଯୁବକ ଇତସ୍ତତଃ ହୋଇ ବୁଲୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ । ହେଲେ ଏହା ପଛର କାରଣ ବଡ କରୁଣ । ନିଜ ଇଚ୍ଛାରେ ନୁହେଁ, ବାଧ୍ୟବାଧକତାରେ ଜଙ୍ଗଲରେ ମୋବାଇଲ ଧରି ବୁଲୁଛନ୍ତି ଗାଁ ଲୋକମାନେ । ଆଜିକା ଦିନରେ ଆମେ ସମସ୍ତେ ୫-ଜି ନେଟୱର୍କ ବ୍ୟବହାର କଲେଣି । କେହିକେହି ୪-ଜି ବ୍ୟବହାର କରୁଛନ୍ତି । ହେଲେ ଏମାନେ ୨-ଜି ଲାଗି ସଂଘର୍ଷ କରୁଛନ୍ତି । ଗାଁ ଭିତରେ ତ ନେଟୱର୍କ ଜମାରୁ ଆସୁନି ଯଦି ପାହାଡ ଉପରକୁ ଚଢିବ, ଆଉ ଇଆଡେ ସିଆଡେ ବୁଲିବ ତେବେ ଯାଇ ମୋବାଇଲରେ ନେଟୱର୍କ ଆସିବ । ମାଲକାନଗିରି ଚିତ୍ରକୋଣ୍ଡା ସ୍ଵାଭିମାନ ଅଂଚଳର ଧୁଳିପୁଟ, ଗାଜଲ ମାମୁଡି, କୁରୁମାନୁର୍, ପାପୁଲୁର ଆଦି ଚାରଟି ପଂଚାୟତର ଲୋକମାନେ ଆଜି ବି ନେଟୱର୍କ ପାଇବାରୁ ବଞ୍ଚିତ । ପିଲାଙ୍କ ପାଠପଢା ହେଉ କି ବ୍ୟାଙ୍କ କାମ ହେଉ… ଭତ୍ତା ହେଉ କି ଅନଲାଇନ୍ ଫର୍ମ ଫିଲଅପ୍ ହେଉ…ସବୁବେଳେ ନେଟୱର୍କ ପାଇଁ ସ୍ଵାଭିମାନ ଅଂଚଳର ଲୋକମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଜିକା ଦିନରେ ବି ସମ୍ପର୍କୀୟ କିମ୍ବା ଦୂରରେ ରହୁଥିବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ସହିତ କଥାବାର୍ତ୍ତା ହେବାକୁ ହେଲେ ସେମାନଙ୍କୁ ଚଢିବାକୁ ପଡେ ପାହାଡ । ସ୍ଥିତି ଏମିତି ବି ହୋଇଛି ଘରେ ରୋଗୀ ପଡିଛି ଆଉ ଆମ୍ବୁଲାନ୍ସ ପାଇଁ ପାହାଡ ଉପରକୁ ଚଢି ନେଟୱର୍କ ଖୋଜୁଛନ୍ତି ଗାଁ ଲୋକେ । ଖାଲି ନେଟୱର୍କ କାହିଁକି ? ଗାଁ ଲୋକଙ୍କ ଲାଗି ବିଜୁଳି ଓ ଭଲ ରାସ୍ତା ସାତ ସପନ ହୋଇ ରହିଛି । ଗୋଟିଏ ପଟେ ଡିଜିଟାଲ୍ ଇଣ୍ଡିଆର କଥା ସରକାର କହୁଛନ୍ତି । ରାଜ୍ୟଠୁ କେନ୍ଦ୍ର ସରକାର ସବୁ କାମ ଅନଲାଇନ୍ ମାଧ୍ୟମରେ କରିବାକୁ କହୁଛନ୍ତି । ହେଲେ ଆଜିକା ଦିନରେ ବି ନେଟୱର୍କ ଲାଗି ସ୍ଵାଭିମାନ ଅଂଚଳର ଲୋକେ ଯେମିତି ସଂଘର୍ଷ କରୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ଵାସ କରିହେବନି ।ସମସ୍ୟାକୁ ନେଇ ସରପଂଚଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ଲୋକେ । ହେଲେ ଫଳ କିଛି ହୋଇନି । ବରଂ ସରପଞ୍ଚ କହିଛନ୍ତି ବ୍ଲକ୍ ଅଧ୍ୟକ୍ଷାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।