ଧର୍ମଶାଳା, ଆଜି ହେଉଛି ବୁଦ୍ଧ ପୂର୍ଣ୍ଣମୀ । ପରମ ପୂଜ୍ୟ ଭଗବାନ ବୁଦ୍ଧଙ୍କର ୨୫୬୭ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ଯାଜପୁର ଜିଲାର ଅନ୍ୟତମ ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ମହାସମାରୋହରେ ପାଳିତ ହୋଇଯାଇଛି । ଉଦୟଗିରିସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଆଜି ପ୍ରାତଃ ସମୟରେ ଏକ ଶାନ୍ତି ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଏହି ଶାନ୍ତି ଶୋଭାଯାତ୍ରାରେ ବାହାରି ଐତିହାସିକ ବୌଦ୍ଧ ପୀଠ ଉଦୟଗିରି ଠାରେ ପଂହଚି ଥିଲେ । ସେଠାରେ ଭଗବାନ ବୁଦ୍ଧଙ୍କୁ ୧୦୮ଢାଳ ସୁବାସିତ ଜଳରେ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବୁଦ୍ଧଙ୍କ ପ୍ରିୟ ସୁଜାତା କ୍ଷିରି ଅର୍ପଣ କରାଯାଇଥିଲା । ଏଥି ସହିତ ବୁଦ୍ଧ ବନ୍ଦନା ଓ ବୁଦ୍ଧଦେବଙ୍କ ନୀତି ଆଦର୍ଶ ସମ୍ବଦ୍ଧିତ ସଂକ୍ଷିପ୍ତ ପ୍ରାର୍ଥନା ସଭା ପାହାଡ ପାଦଦେଶରେ ଅନୁଷ୍ଠିତ ହୋଇଥିଲା । ପରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଶୋଭନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡ. ଅରୁଦ୍ଧତି ଦେବୀ ଯୋଗଦେଇ ସବୁଠୁ ବଡ ସମ୍ପତି ହେଉଛି ଧର୍ମ, ମନରେ ଶାନ୍ତି ପ୍ରତିଷ୍ଠା ପାଇଁ ଧର୍ମ ହେଉଛି ଏକମାତ୍ର ପନ୍ଥା । ବୁଦ୍ଧଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେମାନେ ପରାମର୍ଶ ଦେଇଥିଲେ । ଏଥି ସହିତ ବୌଦ୍ଧ ପୀଠ ଉଦୟଗିରିର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ଓ ଏବଂ ପ୍ରତ୍ନତତ୍ଵ ବିଭାଗକୁ ଏନେଇ ଅନେକ ଥର ପ୍ରସ୍ତାବ ଦିଆଯାଇଛି । ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧି, ସମାଜିକ କର୍ମୀ, ସାମ୍ବାଦିକଙ୍କ ସମେତ ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶୋଭନୀୟ ଶିକ୍ଷାଶ୍ରମର ସମସ୍ତ ଗୁରୁମା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।