ଖୋର୍ଦ୍ଧା, ୧୬ ନମ୍ବର ଜାତୀୟ ରାଜପଥର ଦଧିମାଛଗାଡ଼ିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ସହରର ମଦନରାମ ଅଗ୍ରୱାଲଙ୍କ ପୁଅ ଲୋକେଶ ଅଗ୍ରୱାଲ ।
ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ ଲୋକେଶ ଦଧିମାଛଗଡ଼ିଆରେ ଥିବା ନିଜ ପେଟ୍ରୋଲ ଟାଙ୍କିରୁ ଓଡ଼ି୦୨-ସିବି-୩୦୪୪ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଭେନ୍ୟୁ କାରରେ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ। ହେଲେ ଜାତୀୟ ରାଜପଥରେ ଗାଡିର ଟାୟାର ଫାଟି ଯିବାରୁ ଏହା ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା। ଫଳରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୂରମାର୍ ହୋଇଯାଇଛି। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରୁଥିବା ବେଳେ ଅଧା ରାସ୍ତାରେ ସମ୍ପୃକ୍ତ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଲୋକେଶଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।