ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ୧ ନମ୍ବର ଓ୍ବାର୍ଡ ମାତାଳସାହିକୁ ଭୁଲିଗଲା ପ୍ରଶାସନ। ଏଠାରେ ପିଇବା ପାଣି ପାଇଁ ଡହଳ ବିକଳ ୧୫ ପରିବାର ।
ଖବର ଅନୁଯାୟୀ, ଏଠାକାର ଲୋକମାନେ ବର୍ଷ ତମାମ ଚୂଆ ପାଣି ଉପରେ ନିର୍ଭର କରିଆସୁଥିବା ବେଳେ ଗ୍ରୀଷ୍ମ ଋତୁରେ ପାଣି ପାଇଁ ହନ୍ତସନ୍ତ ହେବାକୁ ପଡ଼େ । ପ୍ରତ୍ୟେକ ବର୍ଷ ସାହିବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପିଇବା ପାଣିର ବ୍ୟବସ୍ଥା ହୋଇପାରିନାହିଁ । ଏବର୍ଷ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ମିଳୁଛି ଏହାର ସ୍ଥାୟୀ ସମାଧାନ ନା ଟ୍ୟାଙ୍କର ଯୋଗେ ପାଣି । ସାହିକୁ କହିବାକୁ ଗଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ପକ୍କାରାସ୍ତା ସ୍ବପ୍ନ ଥିବା ବେଳେ ପାଦଚଲା ରାସ୍ତା ହିଁ ସାହା ଭରଷା । ଏନେଇ ଗ୍ରାମର ନିମାଇଁ ମାଝି, ପିତାମ୍ବର ମୁର୍ମୁ, ବିରାମ ମାଝୀ, ଜୁଝାର ମାଝୀ, ରାଜକିଶୋର ମାଝୀ, ରାମରାଏ ମାଝୀ, ଘନଶ୍ୟାମ ପାତ୍ର, କୁନି ମାଝୀ, କୁନା ମହାକୁଡ଼, ମିନତୀ ମାଝୀ, ରିନ୍ଦୀ ମାଝୀ, ରାଧିକା ମାଝୀ, ସୁକାନ୍ତୀ ମାଝୀ ଅଭିଯୋଗ ଆଣିଛନ୍ତି । ଘଟଣା ସମ୍ପର୍କରେ ଭଗାମୁଣ୍ଡା ସରପଞ୍ଚ ଫୁଲମଣୀ ନାଏକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବା ସହ ଖୁବଶୀଘ୍ର ନଳକୂପର ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।