ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି – ରାୟଗଡା ମୁଖ୍ୟ ରାସ୍ତାରେ ବୁଧବାର ପୂର୍ବାହ୍ନ ସାଢେ ୧୦ ଟାରେ ସ୍ଥାନୀୟ ଉପରବସା ନିକଟରେ ଏକ ବାଇକ ଫରେଷ୍ଟ ଚେକ ଗେଟ ପାଚେରୀକୁ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ୨ ଜଣ ଯୁବକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ନୂଆ ମୌଳାଭଞ୍ଜା ଗ୍ରାମର ଦିପୁନ ଗୌଡ(୧୮) ଏବଂ ଶଙ୍କର ପାତ୍ର (୨୦) ବୋଲି ଜଣାପଡିଛି । ସୁଚନାପ୍ରକାରେ , ଦିପୁନ ଓ ଶଙ୍କର ଉଭୟ ମିଶି ସକାଳେ ୧୦ଟାରେ ନିଜ ପଲସର ବାଇକ (ଓଡି ୩୩ଡବ୍ଲ୍ୟ ୪୨୮୨) ଯୋଗେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଫରେଷ୍ଟ ଗେଟ ନିକଟରେ ଥିବା ମୁଖ୍ୟ ପାଚେରୀକୁ ବାଡେଇ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଦେହକୁ ଜବତ କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜିକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ରିପୋର୍ଟ ପ୍ରଫଲ ସାବତ