ଭୁବନେଶ୍ୱର – ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଜଣ ଶିକ୍ଷକ ଏବଂ ୮ଜଣ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଶିକ୍ଷାଦାନ ଏକ ମହାନ ବୃତି । ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ । ତେଣୁ କେବଳ ପୁସ୍ତକଗତ ଶିକ୍ଷାଦାନ ଉପରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗୁଣାତ୍ମକ ଶିକ୍ଷା ପ୍ରତି ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତମାନ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବଶୀଘ୍ର ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଆଦର୍ଶ ବିଦ୍ୟାଳୟ ଉତମ ଶିକ୍ଷାଦାନ ସହିତ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଏହି ଅବସରରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚର ପିଲାମାନଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ଏବଂ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟର ଲୋକାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ ସାହୁ, ବିଭାଗୀୟ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।