
ଭୁବନେଶ୍ୱର- ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମୋକଦ୍ଦମା ଫଇସଲା, ରାଜସ୍ୱ ସଂଗ୍ରହ, ୫ ଟି ଅନ୍ତର୍ଗତ ମୋ ସରକାର ଯୋଜନା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ନିମନ୍ତେ ପଡ଼ିରହିଥିବା ରାଜସ୍ୱ ମୋକଦ୍ଦମା ଗୁଡ଼ିକର ତୁରନ୍ତ ଫଇସଲା କରିବା ସହ ଜିଲ୍ଲାରେ ଉପଲବ୍ଧ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଲଘୁ ଖଣିଜ ପଦାର୍ଥର ଶତ ପ୍ରତିଶତ ନିଲାମ ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ ନିୟମ ଅନୁସାରେ ଶେଷ କରବାକୁ ଗୁରୁତ୍ୱାରୋପ କରିଥିଲେ । ବେଆଇନ ଖଣିଜ ସମ୍ପଦର ଉତୋଳନ ଓ ପରିବହନକୁ ଲାଗମ ଲଗାଇବା ପାଇଁ ରାଜସ୍ୱ, ପୁଲିସ ଓ ଜଙ୍ଗଲ ବିଭାଗ ମିଳିତ ଆନୁକୂଲ୍ୟରେ ଚଢ଼ାଉ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ସଇରାତ ଉତ୍ସ ଗୁଡ଼ିକୁ ଲିଜ ପ୍ରଦାନ କରିବା ଉପରେ ମଧ୍ୟ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଜୋର ଦେଇଥିଲେ ।
ପ୍ରକାଶ ଥାଉକି ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ଲଘୁ ଖଣିଜ ପଦାର୍ଥ ଗଚ୍ଛିତ ଥିବା ବେଳେ, ଏହାର ସୁବିନିଯୋଗ ହୋଇନପାରି ରାଜସ୍ୱ ସଂଗ୍ରହରେ ଅଭାବ ପରିଲକ୍ଷିତ ହେଉଛି । ଏଡାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୧୧ଟି ନୂତନ ଲଘୁ ଖଣିଜ ପଦାର୍ଥ ଉତ୍ସ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୬୩ ଗୋଟି ଉତ୍ସର ଖଣିଜ ନକ୍ସା ବା ମାଇନିଂ ପ୍ଲାନ ପ୍ରସ୍ତୁତ ହୋଇସାରିଥିବା ବେଳେ ଅବଶିଷ୍ଟ ଖଣିଜ ଉତ୍ସର ନକ୍ସା ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି । ୨୨୧ ଟି ଲଘୁ ଖଣିଜ ଉତ୍ସ ମଧ୍ୟରୁ ୯୫ଟି ମାଙ୍କଡ଼ା ପଥର ୬ଟି ବାଲି ୨୨ଟି କଳାମୁଗୁନି ଓ ୯୮ ଟି ମୋରମ ଖଣିଜ ଗସ୍ତ ରହିଥିବା ଜଣାଯାଇଛି । ଯଥାଶୀଘ୍ର ଲଘୁ ଖଣିଜ ସମ୍ପଦ ସଇରାତ ଗୁଡ଼ିକର ନିଲାମ କରାଯିବ ବୋଳି ଜଣାଯାଇଛି ଯାହାଫଳରେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇପାରିବ ।
ଉଲ୍ଲେଖଯୋଗ୍ୟ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ମୋ ସରକାର ଯୋଜନାର ସୁଫଳ ଜନସାଧାରଣ କିଭଳି ପାଉଛନ୍ତି ପରଖିବା ନିମନ୍ତେ ଶ୍ରୀ ସାମଲ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପୂର୍ବକ ରୋଗୀ ମାନଙ୍କୁ ଯେ।।ଗାଇ ଦିଆଯାଉଥିବା ଆନୁସଙ୍ଗିକ ସୁବିଧା ସୁଯୋଗ ସମ୍ବନ୍ଧରେ ସମ୍ପୃକ୍ତ କର୍ତୃପକ୍ଷଙ୍କ ଠାରୁ ପଚାରି ବୁଝିବା ସହ ପରିମଳ ନିରାମୟ ମାଗଣା ଔଷଧ ବଂଟନ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଏବଂ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତର ଓ ନର୍ସ ମାନଙ୍କ ବ୍ୟବହାର ସମ୍ପର୍କରେ ରୋଗୀମାନଙ୍କ ଠାରୁ ସବିଶେଷ ତଥ୍ୟ ଆହରଣ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ଏ ଦିଗରେ କୌଣସି ଅବହେଳା କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ ଉପସ୍ଥିତ ରହି ରାଜସ୍ୱ ଆୟୁକ୍ତଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ପାଇଁ ଉପସ୍ଥିତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।