
କଟକ- କଟକ ସ୍ଥିତ ନରାଜ ବଜାର ଅଂଚଳରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ର ଏନକାଉଂଟରରେ କୁଖ୍ୟାତ ଡ଼କାୟତ ସଚିନ୍ ପାୱାର ଓରଫ ବବଲୁ ଆହତ ହୋଇଛି । ତା’ର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ୩ଟା ସମୟରେ ନରାଜ ଅଂଚଳରେ ବବଲୁର ଉପସ୍ଥିତି ନେଇ ଚୌଦ୍ୱାର ପୋଲିସ ଖବର ପାଇଥିଲା । ଏହାପରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା । ପୋଲିସକୁ ଦେଖି ବବଲୁ ଓ ତା’ର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଅନ୍ୟ ଦୁଇ ସହଯୋଗୀ ଏଥିରେ ସଫଳ ହୋଇଥିବା ବେଳେ ପୋଲିସ ବବଲୁକୁ ଘେରାବନ୍ଦୀ କରିବା ସହ ଆତ୍ମସମର୍ପଣ କରିବାକୁ କହିଥିଲା । କିନ୍ତୁ, ବବଲୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଜବାବରେ ସେ ଆହତ ହୋଇଥିଲା । ଏହି ଗୁଳି ବିନିମୟ ବେଳେ ଚୌଦ୍ୱାର ଥାନାର ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବବଲୁ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ତା’ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ସେ ଏକ ଡ଼କାୟତି ଗ୍ୟାଙ୍ଗ୍ ର ମୁଖ୍ୟ ଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ଏକାଧିକ ଲୁଟ୍, ରାହାଜାନି ଓ ଡ଼କାୟତି ଘଟଣାରେ ତା’ର ସମ୍ପୃକ୍ତି ରହିଛି ।
ପ୍ରକାଶ ଥାଉ କି, ଗତକାଲି ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ସେହି ଗ୍ୟାଙ୍ଗ୍ ର ୮ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ତଥ୍ୟ ଆଧାରରେ ପୋଲିସ ବବଲୁକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।