ପୁରୀ- ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଛି । ବୁଧବାର ଦିନ ସାନଛତା ମଠରେ ଥିବା ଲଜିଂ ଘରକୁ ଭଙ୍ଗାଯାଇଛି । ବଡଆଖେଡା ମଠପଟୁ ଏହି ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ବ୍ୟାପକ ପୁଲିସ ମୁତୟନ ସହ ଦୁଇଟି ବୁଲଡୋଜର ଏହି କାର୍ଯ୍ୟରେ ନିୟୋଜିତ ହୋଇଅଛି । ଉପଜିଲ୍ଲାପାଳ ଭବତାରଣ ସାହୁ ସାନଛତା ମଠ, ମଙ୍ଗୁମଠ ଓ ମଣିକର୍ଣ୍ଣିକା ସାହି ଉଚ୍ଛେଦ କାର୍ଯ୍ୟ ଘନ ଘନ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ସାନଛତା ମଠ ଭିତରେ ଥିବା ମନ୍ଦିରଟି ସଂପୂର୍ଣ୍ଣ ଲୁକ୍କାୟିତ ଅବସ୍ଥାରେ ରହିଥିଲା । ଏବେ ବଡ ଆଖେଡା ମଠଠାରୁ ସାନଛତା ମଠର ମନ୍ଦିର ଦୃଶ୍ୟମାନ ହୋଇଛି । ଦୋଳବେଦୀ କୋଣରେ ଥିବା ରଞ୍ଜନ ଲୁହା ଦୋକାନ ମଧ୍ୟ ଭଙ୍ଗାଯିବ । ସେହିପରି ମଙ୍ଗୁମଠ ଚାରିପଟେ ଥିବା ୨୨ଟି ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । କେବଳ ଭଙ୍ଗା ଇଟାପଥର ବୁହାଯିବ । ମଙ୍ଗୁମଠର କୋଠାଗୁଡିକ ଭଙ୍ଗାଯିବା ପରେ ମନ୍ଦିର ଦୃଶ୍ୟମାନ ହେବା ସହ ସିଂହଦ୍ୱାର ସମ୍ମୁଖ ରାସ୍ତା ସଂପୂର୍ଣ୍ଣ ଖୋଲା ହୋଇଯାଇଛି । ଏହାସହ ଦୋଳମଣ୍ଡପ ସାହି ପ୍ରବେଶ ପଥ ଓଷାରିଆ ହୋଇଯାଇଛି । ୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ଟ୍ରାଫିକ ପୁଲସ ନିୟୋଜିତ ହୋଇଛନ୍ତି ।
Related Stories
September 19, 2024
September 19, 2024