
ହିଞ୍ଜିଳିକାଟୁ :-ଭିନ୍ନ ଭିନ୍ନ କାର୍ଯ୍ୟପାଇଁ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳି ବ୍ଳକ ଗସ୍ତରେ ଆସି ପୁଣି ଥରେ ଚର୍ଚ୍ଚିତ ହେବା ପ୍ରସଙ୍ଗ ସାମ୍ନାକୁ ଆସିଛି।ଭାବନ୍ଧ ପଞ୍ଚାୟତ ସୂର୍ଯ୍ୟନାରାୟଣ ପୁର ଗ୍ରାମରେ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆୟୋଜନ କରିଥିଲେ।ସମାଜସେବୀ ଡି ବିଶ୍ୱନାଥ, ସଭ୍ୟ ଡି ଲିଙ୍ଗରାଜ, ଛାତ୍ରୀ ଓ ଗ୍ରାମବାସୀ ଜିଲ୍ଲାପାଳ, ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରି ଶିବିର ସ୍ଥଳକୁ ପାଛୋଟି ନେଇଥିଲେ।ଶିବିର ସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀ ଙ୍କ ଗହଣରେ ଜିଲ୍ଲାପାଳ ତଳେ ବସି ଲୋକଙ୍କ ସହ ଆଲୋଚନା କରି ଭଲ ମନ୍ଦ ପଚାରି ଥିଲେ।ଗ୍ରାମରେ ହେଉଥିବା ସରକାରୀ ପ୍ରକଳ୍ପରେ ଅନ୍ୟ ଅଞ୍ଚଳରୁ ଶ୍ରମିକ ଆଣି ଠିକାଦାର ଜଣକ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଶ୍ରମିକ ମାନେ କାମ ଧନ୍ଦା ଅଭାବରୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।ଲୋକଙ୍କ ଅଭାବ ଅସୁବିଧା ପ୍ରତି ଧ୍ୟାନ ଦେବା ନିମନ୍ତେ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।