
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀଜଗନ୍ନାଥ ମନ୍ଦିରସ୍ଥ ମୁକ୍ତିମଣ୍ଡପ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ପୁରୀ ଜିଲ୍ଲାର ରାଜ ପ୍ରତିଷ୍ଠିତ ନିର୍ଦ୍ଦିଷ୍ଟ ବ୍ରାହ୍ମଣ ଶାସନକୁ ନେଇ ଗଠିତ। ସାଧାରଣତଃ ଓଡ଼ିଶାର ଜନସାଧାରଣ ଏହାର ଧାର୍ମିକ ନିଷ୍ପତ୍ତି କୁ ଗ୍ରହଣ କରୁଥଵା ସହ ସ୍ବୀକୃତ ପଞ୍ଜିକା କୁ ବିଶ୍ବାସ କରିଥାନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ଅପ୍ରାଧିକୃତ ଭାବରେ “ମୁକ୍ତିମଣ୍ଡପ ସଂସ୍କାର କମିଟି ପଣ୍ଡିତ ସଭା” “ମୁକ୍ତିମଣ୍ଡପ ବ୍ୟବସ୍ଥା ସଭା” ନାମରେ ଶ୍ରୀମନ୍ଦିର ଠିକଣା ରେ ଏକ ଅନୁଷ୍ଠାନ ଗଠନ କରିଛନ୍ତି। ମୁକ୍ତିମଣ୍ଡପ ରେ ଅଧିକୃତ ହେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ (ମିସ୍ କେଶ୍ ନଂ ୪/୨୦୦୮) କରିଥିଲେ।ଏହା ବିଚାର କରି ମୁଖ୍ୟ ପ୍ରଶାସକ ଏଭଳି ଅନୁଷ୍ଠାନ ଶ୍ରୀମନ୍ଦିର ପରିସରରେ କୌଣସି ପ୍ରାଧିକୃତ ଅନୁଷ୍ଠାନ ହୋଇ ନଥିବା ତା ୪/୮/୨୦୧୨ରିଖ ତାଙ୍କର ଆଦେଶରେ ସ୍ପଷ୍ଟ କରିଥିଲେ। ଏହାସତ୍ତ୍ୱେ ସେଇ ଅନୁଷ୍ଠାନ ଏଯାବତ୍ ନିଜର ସ୍ଥିତି ଜାହିର କରି ଶ୍ରୀମନ୍ଦିର ଠିକଣା ରେ “ଅସଲି ଖଡୀରତ୍ନ ପଞ୍ଜିକା”କୁ ସଂଶୋଧନ ଓ ସ୍ବୀକୃତି ଦେଉଥିବାର ପ୍ରମାଣପତ୍ର ଦେଉଛି।ଏହା ଉପରୋକ୍ତ ପଞ୍ଜିକାରେ ଛପା ହେବା ଯୋଗୁଁ ଜନସାଧାରଣ ବିଭ୍ରାନ୍ତ ହେବାସହ ପଞ୍ଜିକା ପ୍ରକାଶକ ମଧ୍ୟ ଆର୍ଥୀକ ଲାଭ ପାଉଛନ୍ତି।ଏହି ନକଲି ଅନୁଷ୍ଠାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କୁ ଲିଖିତ ଭାବେ ଅଭିଯୋଗ ସତ୍ତ୍ଵେ ତାଙ୍କର ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ନକଲି ଅନୁଷ୍ଠାନ ଉପରେ ବିହିତ ଅପରାଧିକ ମାମଲା ପାଇଁ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ସ୍ଥାନୀୟ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ ସେଇ ଅନୁଷ୍ଠାନ ର ଶ୍ରୀ ଲିଙ୍ଗରାଜ ମିଶ୍ର ସମ୍ପାଦକ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ସଭାପତି ରହିଥିବା ଏବଂ କିଛି ବ୍ୟକ୍ତି ଙ୍କ ନାମ ପଣ୍ଡିତ ଓ ପଞ୍ଜିକା ସଂଶୋଧକ ଭାବେ ଦର୍ଶାଯାଇଛି।