ଭୁବନେଶ୍ୱର, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍ ମିଳିଥିବା ନେଇ ଶୁକ୍ରବାର ପ୍ରକାଶ କରିଛନ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ଖୁବ ଶୀଘ୍ର ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ନିଜନିଜର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୯ ତାରିଖରେ ତତ୍ କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା । ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ଏହି ଆସନରେ ଉପନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଥିଲେ । ଏହି ଉପନିର୍ବାଚନ ପାଇଁ ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଏପ୍ରିଲ ୧୩ ତାରିଖରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ତା’ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଂଚ କରାଯିବ । ପ୍ରାର୍ôଥପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି । ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ । ମେ’ ୧୩ ତାରିଖରେ ଗଣତି ହେବ । ମେ’ ୧୫ ତାରିଖରେ ଏହି ଉପନିର୍ବାଚନର ପୂରା ପ୍ରକ୍ରିୟା ଶେଷ ହେବ ।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୨୧ହଜାର ୭୦ଜଣ ଭୋଟର ୨୫୩ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ । ଏହି ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୦ହଜାର ୩୨୦ ହୋଇଥିବା ବେଳେ ୧ଲକ୍ଷ ୧୦ହଜାର ୬୮୭ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।
ଝାରସୁଗୁଡ଼ା ବିଧାନସଭା ଆସନରୁ ସ୍ୱର୍ଗତଃ ନବ କିଶୋର ଦାସ ୩ ଥର ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ କଂଗ୍ରେସ ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୯ରେ ସେ ବିଜେଡି ଟିକେଟରେ ଏହି ଆସନରୁ ଜିତିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ।