ବାଲେଶ୍ଵର, ଗାଁ ସାରା ପୋକ ସାଲୁବାଲୁ । ଏହି ମେଂଚା ମେଂଚା ଅଜଣା ପୋକକୁ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି । ଶହ ଶହ ସଂଖ୍ୟାରେ ଏହି ପୋକ ଘର, ବାହାର, ପୋଷାକ, ଖାଦ୍ୟ ଓ ପିଇବା ପାଣିରେ ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ବ୍ୟାହତ ହୋଇଛି । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଂଚାୟତର ଜମ୍ବେଶ୍ଵରପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ରାତିରେ କାନରେ ପୋକ ପଶିଯିବାର ଭୟ ଥିବାରୁ ଲୋକେ ଘରେ ମଶାରୀ ଟାଣି ଶୋଉଥିବା କହିଛନ୍ତି । ଏହି ପୋକ କାମୁଡିଲେ ଶରୀରର ସେହି ସ୍ଥାନ କୁଣ୍ଡେଇ ହେବା ସହ ଫଳି ଯାଉଛି । ତେବେ ଏହି ପୋକ କେଉଁଠୁ ଆସୁଛନ୍ତି ତାହା କାହାରିକୁ ଜଣାନାହିଁ । ପଶ୍ଚିମା-ଝଡ଼ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ପରେ କ୍ଷେତରୁ ଏହି ପୋକ ଆସୁଥିବା ଅନୁମାନ କରାଯାଉଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗାଁରେ ପହଂଚି ସ୍ଥିତିର ସମୀକ୍ଷା କରିଛନ୍ତି । ପୋକ ମାରିବା ପାଇଁ ସମ୍ପୃକ୍ତ ଅଂଚଳର ବିଭିନ୍ନ ସ୍ଥାନରେ କୀଟନାଶକ ସିଂଚନ କରାଯାଉଛି ।
ଘଟଣା ସମ୍ପର୍କରେ ଜାଣିବା ପରେ ଓୟୁଏଟିର ଦୁଇ ଜଣ ବୈଜ୍ଞାନିକଙ୍କ ସହିତ ବିଭାଗୀୟ କର୍ମକର୍ତା ଅଂଚଳରେ ପହଂଚି ସ୍ଥିତିର ସମୀକ୍ଷା କରିବା ସହ ନମୂନା ସଂଗ୍ରହ କରି ଫେରିଛନ୍ତି । ଏହି ପୋକ ‘ପେଂଟାଟୋମିଡ ବଗ୍’ ପ୍ରଜାତିର ବୋଲି ସେମାନେ କହିଛନ୍ତି । ପୋକ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଓ ଘର ବାହାରେ ବ୍ଲିଚିଂ ପାଉଡ଼ର ଓ ଫିନାଇଲ ସିଂଚନ କରୁଥିବା ଦେଖିବାକୁ ମିଳିଛି ।