
ବ୍ରହ୍ମପୁର/ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପରିସର ମଧ୍ୟରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ସୋମବାର ଦିନ ଜିଲାପାଳ6ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାନୀରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲସରା ଅଞ୍ଚଳର ମୋଟ ୨୫୬ଜଣ ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରି ଶୁଣିଥିଲେ। ଅଭିଯୋଗ ମଧ୍ୟରେ ଜାଲି ସାର୍ଟିଫିକେଟ ଅର୍ଥାତ ଜନ୍ମ ତାରିଖକୁ ଜାଲିଆତି କରି ସାର୍ଟିଫିକେଟ ହାତେଇଥିବା, ଅଙ୍ଗନବାଡି କର୍ମୀ ବିଜ୍ଞାନୀ ପ୍ରଧାନଙ୍କ ବିରୁଦ୍ଧରେ କୃଷ୍ଣ ସ୍ବାଇଁ, ଜାନକୀ ସାହୁ ପ୍ରମୁଖ ଅଭିଯୋଗ କରିଥିଲେ। ଏତଦ ବ୍ୟତୀତ ନିମିନା ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହୋଇଥିବା କାର୍ଯ୍ୟ ପୂର୍ତ୍ତ ବିଭାଗ ରୋଡ଼ ଠାରୁ (ପୋଲସରା-ବୁଗୁଡା) ସାନବରଗାଁ ଚକ ଠାରୁ ନିମିନା କେନାଲ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅତି ନିମ୍ନ ମାନର କାର୍ଯ୍ୟ ହୋଇଛି। ସରକାରଙ୍କ ନିୟମ ଅନୁସାରେ ୧୦ଗୋଟି କଲଭର୍ଟ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ୫ ଗୋଟି ନିର୍ମାଣ କରାଯାଇଥିବା ଅଭିଯୋଗ କାରୀ ତଥା ନିମିନା ଗ୍ରାମ ପଞ୍ଚାୟତର ସରପଞ୍ଚ ହରପ୍ରିୟା ସାହୁ ଅଭିଯୋଗ କରିଛନ୍ତି। ଏଥି ସହିତ ଆବସ ଯୋଜନା, ରାସନକାର୍ଡ, ଭତ୍ତା ଏହି ଭଳି ବହୁ ଅଭିଯୋଗ ଆସିଥିଲା। ମା ସିଂହାସିନି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ସହ ଅଧ୍ୟୟନ ଗୃହ ୬ଷ୍ଟ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରେସ ବୁଟ ଆଦି ପ୍ରଦାନ କରିବା ଲାଗି ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଶୁଣାନୀରେ ଆରକ୍ଷୀ ଅଧ୍ୟକ୍ଷକ ବ୍ରିଜେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡିଓ ଶମ୍ଭୁନାଥ ନନ୍ଦ, ତହସିଲଦାର ଅଶୋକ କୁମାର ପ୍ରଧାନ, ବ୍ଲକ ଅଧକ୍ଷ ବଳରାମ ସେଠି, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ସମତେ ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।