
ଭୁବନେଶ୍ୱର, ପଶ୍ଚିମା ଝଡ ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ , ରାୟଗଡା, ଗଜପତି ଓ ମୟୁରଭଂଜ । ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତାକାଲି କେନ୍ଦୁଝର , ମୟୁରଭଂଜ,ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, ଗଂଜାମ, ଗଜପତି, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡଘଡି ବିଜୁଳ ବର୍ଷା ସହ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ମୟୁରଭଂଜ, ବାଲେଶ୍ୱର, ଗଂଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ଏହା ବ୍ୟତୀତ କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଝଡ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମସ୍ତ ଜିଲ୍ଲାଗୁଡିକୁ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।