ବାରିପଦା, କୁଡ଼ୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆଜି କୁଡ଼ୁମି ସେନା ପକ୍ଷରୁ ୬ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି । ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଛି । ବାରମ୍ବାର ଏନେଇ ଦାବି ଉପସ୍ଥାପନ ସତ୍ଵେ ରାଜ୍ୟ ସରକାର କୁଡ଼ୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ କେନ୍ଦ୍ରକୁ ବର୍ତମାନ ସୁଦ୍ଧା କୌଣସି ସୁପାରିଶ କରିନାହିାଁନ୍ତି । ଯାହାର ପ୍ରତିବାଦରେ ମଙ୍ଗଳବାର ଏହି ବନ୍ଦ ପାଳନ କରାଯାଇଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଅବହେଳା କରୁଥିବା ନେଇ କୁଡ଼ୁମି ସେନାର ଅଧ୍ୟକ୍ଷ ଜୈମୁନି ମହାନ୍ତ ଅଭିଯୋଗ କରିଛନ୍ତି ।
ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ୧୮ ନଂ ଜାତୀୟ ରାଜପଥ ସହ ଅନ୍ୟାନ୍ୟ ରାସ୍ତାକୁ ବନ୍ଦ କରାଯିବା ଫଳରେ ବିଭିନ୍ନ ସ୍ଥାନରେ ବସ୍, ଟ୍ରକ୍ ସମେତ ଅନ୍ୟାନ୍ୟ ଭାରୀଯାନ ଅଟକି ରହିଛି । ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଦୋକାନ, ବଜାର ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଥିବା ଦେଖିବାକୁ ମିଳିଛି । ପରୀକ୍ଷା ଚାଲୁଥିବା ଶିକ୍ଷାନୁଷ୍ଠାନ ଓ ପରୀକ୍ଷାର୍ଥୀଙ୍କୁ ବନ୍ଦରୁ ବାଦ୍ ଦିଆଯାଇଛି । ଏଥିସହ ଜରୁକାଳୀନ ସେବାଗୁଡିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ।