ଭୁବନେଶ୍ୱର – ବାକିଆ ବିଦ୍ୟୁତ୍ ବିଲ୍ ଆଦାୟ କରିବା ପାଇଁ ସେସୁ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ଏହାର ସିଇଓ ଅରୁଣ ବୋଥ୍ରା ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସାଧାରଣ ଉପଭୋକ୍ତା ଏବଂ ଶିଳ୍ପସଂସ୍ଥା ଉପରେ ମୋଟ ୨୦୦୦ କୋଟି ଟଙ୍କା ବାକିଆ ରହିଅଛି । ଏଥିମଧ୍ୟରୁ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ରହିଛି । ମୋଟ ବାକିଆ ମଧ୍ୟରୁ ୨୦୯ କୋଟି ଟଙ୍କାର ବିବାଦ ଅଛି । ଏହା ମଧ୍ୟରୁ ୧୦୮ କୋଟି ଟଙ୍କା କେବଳ ଶିଳ୍ପସଂସ୍ଥା ଉପରେ ରହିଛି । ଏହା କୋର୍ଟର ବିଚାରାଧିନ ରହିଛି । ୧ଲକ୍ଷ ଗ୍ରାହକ ଦୁଇବର୍ଷ ହେଲା ବିଲ୍ ଦେଇନାହାଁନ୍ତି । ୫୮ହଜାର ଉପଭୋକ୍ତାଙ୍କ ଉପରେ ୫୦ହଜାରରୁ ଉଦ୍ଧ୍ୱର୍ ବାକିଆ ରହିଛି । ଏହି ଟଙ୍କା ପୈଠ କରିବା ପାଇଁ ଉପଭୋକ୍ତାମାନଙ୍କୁ ଏକମାସ ସମୟ ଦିଆଯିବ । ତା’ ଭିତରେ ପରିଶୋଧ ନକଲେ ଡିସେମ୍ବର ୧୬ ତାରିଖ ଠାରୁ ବିଦ୍ୟୁତ କାଟ୍ ଅଭିଯାନ ଆରମ୍ଭ ହେବ । ଏବେଠାରୁ ନୋଟିସ୍, ଏସଏମଏସ, ଖବରକାଗଜରେ ବିଜ୍ଞାପନ, ରେଡିଓ/ଟିଭି/ଏଫଏମମାନଙ୍କରେ ବିଜ୍ଞାପନ, ଲିଫଲେଟ୍ ଜରିଆରେ ସୂଚନା ଦିଆଯିବ । ଯେଉଁମାନେ ଏକାସହିତ ବକେୟା ରାଶି ପ୍ରଦାନରେ ଅସମର୍ଥ ହେବେ ସେମାନେ କିସ୍ତି ମାଧ୍ୟମରେ ଏହାକୁ ଦେବା ପାଇଁ ଆବେଦନ କରିପାରିବେ । ସର୍ବାଧିକ ୬ଟି କିସ୍ତିରେ ଏହା ଦିଆଯାଇ ପାରିବ । ଏହି ବକେୟା ରାଶି କ୍ୟାସ, ଚେକ୍, ବ୍ୟାଙ୍କ ଡ୍ରାଫ୍, ଅନ୍ଲାଇନ ମାଧ୍ୟମରେ ପୈଠ କରିପାରିବେ । ନିରବିଚ୍ଛିନ୍ନ ଭାବରେ ଉନ୍ନତ ମାନର ବିଦ୍ୟୁତ୍ ଯୋଗାଇବାକୁ ହେଲେ ପଇସାର ଆବଶ୍ୟକତା ରହିଛି । ବାକିଆ ପଇସା ମିଳିଲେ ଏହି ସେବା ଯୋଗାଇ ଦିଆଯିବ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ପାଇଁ ଶ୍ରୀ ବୋଥ୍ରା ବିନମ୍ର ଅନୁରୋଧ କରିଛନ୍ତି ।
Related Stories
October 25, 2024