ଭୁବନେଶ୍ୱର, ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ଏହାସହ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ସମ୍ବଲପୁର, ଦେବଗଡ,କେନ୍ଦୁଝର,ମୟୁରଭଂଜ, ଅନୁଗୁଳ,ଢେଙ୍କାନାଳ, ନୟାଗଡ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟ ମଧ୍ୟରେ କନ୍ଧମାଳ , ପୁରୀ , ଗଂଜାମ, ଖୋର୍ଦ୍ଧା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ଜଗତସିଂହପୁର,ସୁବର୍ଣ୍ଣପୁର. ବୌଦ୍ଧ , ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅପରପକ୍ଷରେ ଆଗାମୀ ୪ ଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିଲେ ହେଁ କୌଣସି ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇ ନାହିଁ ।