ଜୟପୁର, – କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ମନ୍ଦିର ଭିତରୁ ଅର୍ଥାତ୍ ଗୁମ୍ଫା ମଧ୍ୟରେ ଥିବା ଶିବଲିଙ୍ଗ ଠାରୁ ମାତ୍ର ୫ ଫୁଟ୍ ଦୂରତା ମଧ୍ୟରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଘଟଣା ପାଇଁ ଠାକୁରଙ୍କ ନୀତିକାନ୍ତି ପ୍ରାୟ ୧୦ ଘଂଟା ବିଳମ୍ବ ହୋଇଛି । ମହାସ୍ନାନ ଓ ମନ୍ଦିର ସୋଧି ପରେ ପୂଜା କାର୍ଯ୍ୟ ସ୍ୱାଭାବିକ୍ ହେବା ସହିତ ଗୁପ୍ତେଶ୍ୱରଙ୍କ ନିକଟରେ ଭୋଗ ଲାଗି ହୋଇଛି ।
ଆଜି ଭୋର୍ ପ୍ରାୟ ୫ଟା ସମୟରେ ପୂଜକ ମନ୍ଦିର ଖୋଲିବା ବେଳେ ଏହା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଘଟଣା ସମ୍ପର୍କରେ ମୁଖ୍ୟ ପୂଜକଙ୍କୁ ଅବଗତ କରିଥିଲେ । ଖବର ପାଇ ବୈପାରୀଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି ।