-
କେତେ ଦିନ ମଧ୍ୟରେ ହତ୍ୟାର ତଦନ୍ତ କାମ ପୂରା ହେବ ସରକାର ଜଣାନ୍ତୁ – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, ବିଧାନସଭାରେ ବୁଧବାର ଦିନ ପୁଣି ଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଛି । ଏହି ମାମଲାରେ ତଦନ୍ତକୁ ନେଇ ରାଜ୍ୟର ଜନସାଧାରଣ ସନ୍ଦିହାନ ଥିବା ବେଳେ ଏହି ମାମଲାର ତଦନ୍ତ କେବେ ସରିବ ତାବା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି ।
ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ନବ ଦାସଙ୍କ ହତ୍ୟା କରାଯିବାର 45 ଦିନ ଅର୍ଥାତ ଦେଢ ମାସ ବିତି ସାରିଲାଣି । ଏହି ହତ୍ୟାର କାରଣ କଣ ଓ ହତ୍ୟା ପଛରେ କିଏ ଅଛି ତାହା ଦେଢ ମାସ ପରେ ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ । ଏତେ ଦିନ ପରେ ମଧ୍ୟ ହତ୍ୟାର କାରଣ ଓ ଷଡଯନ୍ତ୍ରକୁ ନେଇ ରାଜ୍ୟ ବାସୀ ସନ୍ଦିହାନ ଅଛନ୍ତି ।
ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗୋଟିଏ କଥା କହୁଥିବା ବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି । ତେଣୁ ଏହି ମାମଲାର ତଦନ୍ତ ପ୍ରକ୍ରିୟା କେବେ ପୂରଣ ହେବ ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।