ହରିଚନ୍ଦନପୁର, ମହୁମାଛି ଆକ୍ରମଣର ଶିକାର ହେଲେ ମାଟ୍ରିକ ପରୀକ୍ଷାର୍ଥୀ ଓ ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବାଳିକା ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିଲେ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି । ମହୁମାଛି ଆକ୍ରମଣରେ ୨ ଜଣ ଶିକ୍ଷକ, ୯ ଜଣ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି। ହରିଚନ୍ଦନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଏବେ ସେମାନେ ସୁସ୍ଥ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ପରୀକ୍ଷା ଦେବାକୁ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚିବା ବେଳେ ନିକଟସ୍ଥ ଗଛରେ ବସା ବାନ୍ଧିଥିବା ମହୁ ଫେଣାରୁ ମହୁମାଛି ବାହାରି ଛାତ୍ରଛାତ୍ରୀ ସହ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଧାଁ ଦୌଡ ବେଳେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତିଙ୍କୁ ଦଳବଦ୍ଧ ଭାବେ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଗାଡ଼ି ଛାଡ଼ି ଦୌଡିବା ସମୟରେ ସେ ତଳେ ପଡିଯାଇ ଗୁରୁତର ହୋଇଥିଲେ। ଏଥିସହ ବାଇଲବେଡା ଜିପି ହାଇସ୍କୁଲର ଶିକ୍ଷକ ମନୋଜ କୁମାର ମହାନ୍ତ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ସେହିପରି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀ ବିଶ୍ଵନାଥ ଜୁଆଙ୍ଗ ଗୁରୁତର ହୋଇଥିବାରୁ ଇଞ୍ଜେକସନ ନେବା ପରେ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ ପିଟାପିଟି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମଣ ମାଝୀ, ବିଶ୍ଵନାଥ ଜୁଆଙ୍ଗ, ସଞ୍ଜୟ ଜୁଆଙ୍ଗ ଓ ମନୋହରପୁର ଉଚ୍ଚ ବିଦ୍ୟାଳୟର ମାମା କିଶାନ, କାଇଁତ କିଶାନ, ସୁମତି ମହାନ୍ତ, ସ୍ଵସ୍ତିକା ନାଏକ, ସବିତା ମହାନ୍ତ ପ୍ରମୁଖ ୮ ଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡିଛି ।