
ନୂଆଦିଲ୍ଲୀ, ୯୫ ତମ ଓସ୍କାର ଉତ୍ସବରେ ଭାରତୀୟ ଗୀତକୁ ମିଳିଛି ଓସ୍କାର ସମ୍ମାନ । ଫିଲ୍ମ ଆରଆରଆର ର ‘ନାଟୁ ନାଟୁ’ ଗୀତକୁ ମିଳିଛି ଓସ୍କାର ଆୱାର୍ଡ଼ । ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ଓସ୍କାର ଜିତିଛି ଏହି ଗୀତ । ଫିଲ୍ମ ଆରଆରଆର ‘ନାଟୁ ନାଟୁ’ ୨୦୨୨ର ହିଟ୍ ଟ୍ରାକ୍ ମଧ୍ୟରୁ ଅନ୍ୟତମ । ତେଲୁଗୁ ଭର୍ସନରେ ଏହି ଗୀତ ରଚନା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଏମ.ଏମ. କିରଭାନି । ଗୀତଟିକୁ ଲେଖିଛନ୍ତି ଚନ୍ଦ୍ରା ବୋଷ । ଏହାକୁ ଗାଇଛନ୍ତି କାଲା ଭୈରବ ଏବଂ ରାହୁଲ ସିପଲିଗୁଞ୍ଜ । ଓସ୍କାର ସମାରୋହରେ ପୁରସ୍କାର ଗ୍ରହଣ କରିଛନ୍ତି ଚନ୍ଦ୍ରାବୋଷ ଏବଂ ଏମ.ଏମ. କିରଭାନି । ଏହି ଅବସରରେ ନାଟୁ ନାଟୁ ଗୀତର ଲାଇଭ ପ୍ରଫରମାନ୍ସ ହୋଇଥିଲା । ଗାୟକ କାଲା ଭୈରବ ଏବଂ ରାହୁଲ ସିପଲିଗୁଞ୍ଜ ନାଟୁ ନାଟୁ ଗୀତ ଗାଇଥିଲେ । ସେଠାରେ ଉପସ୍ଥିତ ଦର୍ଶକ ଗୀତର ତାଳେ ତାଳେ ଝୁମି ଉଠିଥିଲେ । ଗୀତକୁ ମିଳିଥିଲା ଷ୍ଟାଣ୍ଡିଂ ଓଭିଏସନ । ଏହା ପୂର୍ବରୁ ଗୋଲ୍ଡେନ ଗ୍ଲୋବ ଆୱାର୍ଡ଼ ପାଇ ଇତିହାସ ରଚିଥିଲା ନାଟୁ ନାଟୁ ଗୀତ । ଗୋଲ୍ଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକଚର କାଟାଗୋରୀରେ ପୁରସ୍କାର ମିଳିଥିଲା । ଚଳିତ ଥର ଭାରତର ତିନୋଟି ଫିଲ୍ମ ଓସ୍କାର ଦୌଡ଼ରେ ଥିଲା । ସେଥିରୁ ଦୁଇଟିକୁ ପୁରସ୍କାର ମିଳିଛି । ତାମିଲ ଚଳଚ୍ଚିତ୍ର ଦି ଏଲିଫ୍ୟାଂଟ ହ୍ୱିସ୍ପରର ଜିତିଛି ଓସ୍କାର । ଶ୍ରେଷ୍ଠ ସର୍ଟ ଡକ୍ୟୁମେଂଟରୀ ବର୍ଗରେ ଏହି ଚଳଚ୍ଚିତ୍ର ଓସ୍କାର ଜିତିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଏହି ସଫଳତା ପାଇଁ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି ।